ଦୃଷ୍ଟିରୁ ଦୃଷ୍ଟିକୋଣ
ଦୃଷ୍ଟିରୁ ଦୃଷ୍ଟିକୋଣ
କବିତା - ଦୃଷ୍ଟିରୁ ଦୃଷ୍ଟିକୋଣ
ରଚନା - ପଞ୍ଚାନନ ଜେନା
ତାରିଖ -୧୧-୦୩-୨୦୨୬
++++++++++++++++
କେଇ ଟୋପା ଲୁହ ପୋଛି ହୁଏନା ବୋଲି
ପଡ଼େ ପିଇବାକୁ
କେଇ ମୁଠା କୋହ ସମ୍ଭାଳି ହୁଏନା ବୋଲି
ପଡ଼େ ହସିବାକୁ
ବୋଧେ ଏହାରି ନାମ ଜୀବନ
ଗଣ୍ଠି ପକେଇ ଭଜୁଥା ଭଜନ କିର୍ତ୍ତନ
କେଇ ପଦ କଥା କହି ହୁଏନା ବୋଲି
ପଡ଼େ ବାନ୍ଧିବାକୁ
କେଇ ସେକେଣ୍ଡ ସହି ହୁଏନା ବୋଲି
ପଡ଼େ ତାତିବାକୁ
ବୋଧେ ଏହାରି ନାମ ସମୟ
ପଞ୍ଚଭୂତରେ ଲୀନ ହେବା ଆଗରୁ ଭାବ ଉପାୟ
କିଛି ମଣିଷ ମାନଙ୍କୁ ନିଜର କରି ହୁଏନା ବୋଲି
ପଡ଼େ ଜଳିବାକୁ
କିଛି ମୁହୁର୍ତ୍ତ ମାନଙ୍କୁ ଆପଣାର କରି ପାରୁନା ବୋଲି
ପଡ଼େ ନଇଁବାକୁ
ବୋଧେ ଏହାରି ନାମ ନିୟତି
ସୁଧାରି ପାରିଲେ ଭକ୍ତି ହିଁ ଶକ୍ତି ନିକିତି
କିଛି ଅବଗୁଣକୁ ଆୟତ୍ତ କରି ହୁଏନା ବୋଲି
ପଡ଼େ ଲଢିବାକୁ
କିଛି ହାରୁଥିବା ବାଜିକୁ ଜିତି ହୁଏନା ବୋଲି
ପଡ଼େ ଭୂଲ ମାଗିବାକୁ
ବୋଧେ ଏହାରି ନାମ ଭାଗ୍ୟଚକ୍ର
ଲୁଡୁପାଲିର ସାପ ସିଡି ଖେଳ ପରି ଅଷ୍ଟବକ୍ର
ଏଣୁ ଦୃଷ୍ଟି ବି ବଦଳୁ ଦୃଷ୍ଟିକୋଣ ବି ସବଳୁ
ସବାଁଳୁଆରୁ ରଙ୍ଗୀନ ପ୍ରଜାପତି ଜନ୍ମିଲା ପରି
ଏଣୁ ଚିନ୍ତା ବି ବଦଳୁ ଅନୁଚିନ୍ତା ବି ସବଳୁ
ବଣମଲ୍ଲୀର ଫୁଲହାରରେ ସଭାସ୍ଥଳ ମହକିଲା ପରି
