STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ଗର୍ଭଣା ସଂକ୍ରାନ୍ତି

ଗର୍ଭଣା ସଂକ୍ରାନ୍ତି

1 min
195


ପାହାନ୍ତି ଘଡ଼ି ବିଚ୍ଛଣା ଛାଡ଼ି

   ବାପା ସାରିଲେ ସ୍ନାନ,

ଗର୍ଭଣା କାଠି ଆଣିଲେ କାଟି

   କରିଲେ ଉପାସନ।

କୁନା ପଚାରେ କୁହ ହେ ବାପା

   କାହିଁକି ପୂଜାକର,

ବାପା କୁହନ୍ତି ଶୁଣରେ ବାବୁ

    ପୂଜାର ଉପଚାର।

ଆମେ ଓଡ଼ିଆ ଭାରି ବଢିଆ 

    ବଢିଆ ଆମ ନୀତି,

ବାରମାସରେ ତେର ପରବ 

    ପାଳେ ଓଡ଼ିଆ ଜାତି।

ଆଜି ଦିନଟି ପବିତ୍ର ଅତି

    କୃଷି ଭିତ୍ତିକ ପର୍ବ,

ମାଆ ଲକ୍ଷ୍ମୀଙ୍କ ଅର୍ଚ୍ଚନା ପାଇଁ

   ଚାଷୀ କ୍ଷେତକୁ ଯିବ।

ମାଆଟି‌ ପରି ଧାନ ଗଛଟି

   ଗର୍ଭ ଧାରଣ କରେ,

ତେଣୁ ଗର୍ଭଣା ସଂକ୍ରାନ୍ତି ନାମେ

    ଓଡ଼ିଆ ଜାତି ପାଳେ।

କ୍ଷେତରେ‌ ଚାଷୀ ଗର୍ଭଣା କାଠି

   ଏ ଦିନ ପୋତି ଥାନ୍ତି,

କେତେକ କାଠିକଟା ସଂକ୍ରାନ୍ତି

   ଏହାକୁ କହିଥାନ୍ତି।

ବାରରାଶୀରୁ‌ ସପ୍ତମ ରାଶୀ

   ତୁଳା ସଂକ୍ରାନ୍ତି ଏହି,

ଏ ସପ୍ତମାସୀ ସଂକ୍ରାନ୍ତି ବୋଲି

   କେତେକ ଥାନ୍ତି କହି‌।

ମହତ ଅତି ଏ ସଂକରାନ୍ତି‌

   କୃଷକ ଜାତି ପାଇଁ,

ଅଧିକ ଶସ୍ୟ ହେବ ଅମଳ 

   ମାଆଙ୍କୁ ଡାକେ ସେହି।

ଗର୍ଭ ସମୟେ ମାଆ ପେଟରେ

   ଗର୍ଭ ସମସ୍ୟା ପରି,

ଧାନ ଗଛରେ ରୋଗ ପୋକର‌

   ସମସ୍ୟା ଥାଏ ଭରି‌।

ଗର୍ଭସ୍ଥ ଶିଶୁ ବିକାଶ ଆଉ

   ନିରୋଗ ହେବା ପାଇଁ,

ମାଆଟି ପୁଷ୍ଟିକର ଆହାର

   ସେବେଳେ ଖାଉଥାଇ‌।

ସାଦ ଖାଇଲେ ମାଆ ଅରୁଚି

    ଯେହ୍ନେ ହୁଅଇ‌ ଦୂର,

ତେସନେ‌ ଧାନ ଗରଭ‌ ବେଳେ

    ନୈବେଦ୍ୟ ଉପଚାର।

କରିଛି ଶ୍ରମ ବୁଣିଛି‌ ଧାନ 

    ଗରୀବ ଚାଷୀଟିଏ‌,

ଶ୍ରୀମହାଲକ୍ଷ୍ମୀ ତା'ପୂଜା ଦେଖି

    ସନ୍ତୁଷ୍ଟ ହୋଇଥାଏ।

ଆଗେ ତୁ ବୁଣ୍ ପଛେ ତୁ ବୁଣ୍  

    ଗର୍ଭଣା ଟୁଣ୍ ଟୁଣୁ,

କହନ୍ତି ପୂର୍ବ ପୁରୁଷ ଏହା

     ଭାବରେ ଜାଣୁ ଜାଣୁ।

ଗରଭ ଧାନ ଗଛ ଆଜି ତ

     ଲକ୍ଷ୍ମୀଙ୍କ ଅନୁରୂପା,

ଧୂପ ,ନୈବେଦ୍ଯ,ଫୁଲ,ଭୋଗରେ

    ମିଳେ ମା' ଅନୁକମ୍ପା।

ଧୋଇ, ମରୁଡ଼ି,ପୋକରୁ ରକ୍ଷା

    ପାଇଁ ମାଆଙ୍କୁ ଡାକେ,

 ମାଆ କୃପାରୁ ସୁନା ଫସଲ

    ହସ‌ଇ ତାର କ୍ଷେତେ।

କର୍ମର ବଳେ ଫଳଟି ମିଳେ

    ଆଳସ୍ଯେ ଦୁଃଖ ସିନା,

ବାପା କହିଲେ କୁନା ଶୁଣିଲା

    ଏ ସଂକ୍ରାନ୍ତି ମହିମା।

ଆମ ଓଡ଼ିଆ ସଂସ୍କୃତି ତେଣୁ

    ସବୁଠୁଁ ଅଟେ ପୁଣ୍ୟ,

ମୂର୍ଖ ଅପର୍ତ୍ତି ଓଡ଼ିଆ ହୋଇ

     ନିଜକୁ ମଣେ‌ ଧନ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy