STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ସେଥିରେ ମଜା ନାହିଁ

ସେଥିରେ ମଜା ନାହିଁ

1 min
99


କଲମ ଲେଖା ଅକ୍ଷର ମଜା

   ଛପା ଅକ୍ଷରେ‌ ନାହିଁ,

ଆସନ ପାରି ଖାଇବା ମଜା

  ଡାଇନିଂ‌ରେ କାହିଁ ?

ଡାକ ଚିଠିର ପିରତୀ ମଜା

  ଫେସବୁକରେ ନାହିଁ,

ନଈକୂଳିଆ ପବନ ମଜା

  ଫ୍ଯାନ୍‌ରେ ମିଳେନାହିଁ।

ସେ ପୋଡା ବାଇଗଣ ଭରତା

   ପଖାଳ ବଢ଼ି ଚୂରା,

ସେ ମଜା ପାଖେ ବିରିଆନୀ ବି

   ମୋ ପାଇଁ ତୁଚ୍ଛ ପରା।

ଆମ୍ବ ତୋଟାରେ ବୁଲିବା ମଜା

   ପାର୍କରେ‌ କିବା ମିଳେ,

ଜହ୍ନୁଆ ରାତି ପ୍ରେମର ମଜା

   ମିଳେ କି ବାର୍‌କୋଠିରେ?

ନ‌ଈ ପୋଖରୀ ଗାଧୁଆ ମଜା

   ବାଥ୍‌ରୁମ୍‌ରେ କାହିଁ,

ସପ୍ଲାଏ ପାଣି ନଳକୂପର 

   ମଜା କି ଦେବ ଭାଇ?

ଦୋକାନ ଚା' ପିଇବା ମଜା

   ଘର ଚା'ରେ ନାହିଁ,

ବାହାର ଫିଷ୍ଟ୍‌ ଭୋଜୀ ସୁଆଦ

   ଘରେ ବି ମିଳେ ନାହିଁ।

ଅନ୍ଯ ଭାରିଜା ସାଥେ ଗପିବା

   ମଜାଟି‌ ଯାହା ମିଳେ,

ନିଜ ଘରଣୀ ସାଥେ ଗପିଲେ‌

   ମନଟା କିନ୍ତୁ ମରେ।

ମିଳେନା ମଜା ଏକା ଦେଖିବା

   ଯାତରା‌ ରାତି ଭରି,

ସାଙ୍ଗରେ ଯାଇ ନ ଥିବେ ଯଦି

    ନିଜର ସ୍ତ୍ରୀ ଶାଳୀ‌।

ଏକା ପିଇଲେ ମଦ ଗଞ୍ଜେଇ

   ସେ ମଜା ମିଳେ ନାହିଁ,

ସାଙ୍ଗ ସାଥିରେ‌ ଯଦି ପିଇବ

    ଶାନ୍ତି ମିଳିବ ଭାଇ।

ମାଟି ଜାଗୁଲି ବିରିଡାଲି ଯେ

    ରସୁଣ ଲଙ୍କା ଛୁଙ୍କ,

ପ୍ରେସର କୁକରେ ନାହିଁ ସେ ମଜା

   ରାନ୍ଧିକି ଥରେ ଚାଖ।

ଜାଳ ଚୁଲିର ରୋଷେଇ ମଜା

   ଗ୍ଯାସ୍‌ଚୁଲାରେ କାହିଁ,

କଦଳୀ ପତ୍ରେ ଭୋଜନ ମଜା

   ବର୍ଫି‌ କାଗଜେ‌ ନାହିଁ।

ଶିଳ ବାଟଣ ମଜା ତୁଉଣ

   ଗ୍ରାଇଣ୍ଡର‌୍ କିବା ଦିଏ,

ଢ଼ିଙ୍କି କୁଟିବା ଚୂଡା ସୁଆଦ

  କଳକୁଟାରେ କି ଥାଏ ?

ସାର ପଡିବା‌ ପନି ପରିବା 

  ଲାଗେନି କେବେ ମଜା,

ଯେତେ କହିଲେ ଖତ‌ ଗୋବର

   ଫସଲ କିନ୍ତୁ ରଜା‌।

ବାପା ଓ ବୋଉ ଡାକ ଯେ ମିଠା

   ଡାଡି‌ ମମିରେ ନାହିଁ,

ଗାଆଁ ଚଳଣୀ ଯେତେ ଆପଣା

   ସହରେ କିନ୍ତୁ ନାହିଁ।

ଜନମ‌ ଦିନ ବର ବରଣୀ‌

   ମେଳା କୀର୍ତ୍ତନ ଭଳି,

କେବେବି ଡିଜେ‌ କେଏକ‌ କଟା

   ହେବନି‌ ସମସରି‌।

ଓଡ଼ିଶୀ ନୃତ୍ୟ ଯେହ୍ନେ ଚର୍ଚ୍ଚିତ

   ସାରା ଜଗତ ମଧ୍ୟେ,

ବ୍ରେକ୍‌ ଡ୍ଯାନ୍‌ସ ଭେଙ୍ଗଣା ନାଚ

   ଦେଖିଲେ ମୋତେ ବାଧେ‌।

ଓଡ଼ିଆ ଧୋତି କୁର୍ତ୍ତା ଗାମୁଛା

   ପିନ୍ଧାରେ ଯେଉଁ ଭାବ,

ବର୍ମୁଣ୍ଡା ଜିନ୍ ସଟ୍‌କଟ୍‌ରେ

   ସଂସ୍କୃତି ବୁଡ଼ିଯିବ।

ମୁଖ ସୁନ୍ଦର ଟେରି ସୂତାନ

   କରିକି ମୁଣ୍ଡ କୁଣ୍ଡା‌,

ଖରାପ ଦିଶେ ଗଞ୍ଜା କ‌ଅଟ

   ଅଲଜ୍ଯା‌ ଅର୍ଦ୍ଧ ଲଣ୍ଡା‌।

ଶଙ୍ଖା, ସିନ୍ଦୂର,ଶାଢ଼ୀ ନାରୀର

   ଭୂଷଣ ପରା ଭାଇ,

ଟିକିଲି ଲିପିଷ୍ଟିକି ପ୍ରେମରେ

   ନାରୀ କାହିଁକି ବାଇ?

ଆମ ସଂସ୍କୃତି ପବିତ୍ର ଅତି

   ପାଶ୍ଚାତ୍ୟ ଅପବିତ୍ର,

ଓଡ଼ିଆ ଭାଷା ଭାରି ବଢିଆ

   ଅନ୍ଯର‌ ନାହିଁ ଗୋତ୍ର।

ଦେବାରେ ଯେଉଁ ମଜା ରହିଛି

   ନେବାରେ ତାହା ନାହିଁ,

ଛନ୍ଦ ପଦର କବିତା ମଜା

   ଆଧୁନିକରେ କାହିଁ?

ଯଦି ଓଡ଼ିଆ ହେବ ବଢ଼ିଆ

   କାଳିଆ ଭାବେ ବୁଡ଼,

ଭଣ୍ଡ ବାବାଙ୍କୁ ଗୁରୁ କରିବା

   ଶୀଘ୍ର ଭାଇରେ ଛାଡ଼ ‌।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy