ଜନ୍ମଦିନ
ଜନ୍ମଦିନ
ସରି ସରି ଯାଏ ଦିନ ହେ ଠାକୁର
ଲିଭି ଲିଭି ଯାଏ ଆୟୁ
ଆଜି ଖୁସି ଆଉ କାଲିକୁ ନଥିବ
ସାହା ଏକା ମହାବାହୁ ।
ଶହେ ସରଗର ସୁଖ ଭରିଦିଅ
ଶାନ୍ତିର ପୀୟୂଷ ଢ଼ାଳି
ହସି ହସେଇବି ସାରା ଦୁନିଆକୁ
ସାଜି ତୁମ ପଦ ଧୂଳି ।
ସାରୁ ପତରର ପାଣି ଟୋପା ପରି
ଏ ଜୀବନ ଜଳଛବି
କେବେ ଭାସିଯିବ ନଈର ସୁଅରେ
କେବେ ଅବା ଯିବ
ଡୁବି ।
ଜନମ ମରଣ ଅଢ଼େଇ ଦିନିଆ
ସୁଖ ଦୁଃଖ ଦୁଇ ଭାଇ
ହସ କାନ୍ଦ ପରା ଦାଣ୍ଡ ଦୁଆରର
ଲେଉଟାଣୀ ଖରା ଛାଇ ।
ବୟସ ବଢିଲେ ଆୟୂଷ ଖସଇ
ପବନକୁ ଲାଗେ ଡର
ପ୍ରତିଟି ଜନମ ଦିନ ଆଣିଦିଏ
ଫେଡାଣର ଅବସର ।
ତଥାପି ତୁମରି ଚରଣେ ଶରଣ
ଦିଅ ହେ କଳା ନାଉରୀ
ପ୍ରେମର ପ୍ରଦୀପ ଜାଳୁଥିବି ନିତି
ହେବାପାଇଁ ଭବୁ ପାରି ।