ମାଆ
ମାଆ
ମହଣ ମହଣ ଦୁଃଖ ଘଷିମାଜି ଏରୁଣ୍ଡି ବନ୍ଧରେ
ସୁଖକୁ ସାଉଁଟି ଆଣୁ ସମୟର ଅଫେରା ମୋଡ଼ରେ ।
ପବନର ପାହଚରେ ବୁଣି ବୁଣି ପ୍ରେମର ବାରତା
ଆକାଶର ଅଗଣାରେ ଲେଖିଦେଉ ହଜାରେ କବିତା ।
ନିରବ ନଈର ଧାରେ ଲହୁଲୁହ କରି ଏକାକାର
ପିଠିରେ ପଥର ବୋହି ଦୁଃଖ ସବୁ କରୁ ତୁ ନିଜର ।
ତଥାପି ଫୁଟାଉ ହସ ମୋ ଆଖିର ଟିକି ବଗିଚାରେ
ଖରା କି ବରଷା ଅବା ଶ୍ରାବଣର ମେଘୁଆ ରାତିରେ ।
କୋଉଥିରେ ଗଢ଼ା କହ ତୋ ଛାତିର ମୁକୁଳା ଝରକା
ଦିନରାତି ବସି ଏଠି ମାଆଲୋ ମୁଁ ଝୁରେ ଏକା ଏକା ।