ସମୟ
ସମୟ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମହଣ ମହଣ ଦୁଃଖ
ଘଷିମାଜି ଏରୁଣ୍ଡି ବନ୍ଧରେ
ସୁଖକୁ ସାଉଁଟି ଆଣୁ
ସପନର ଅଫେରା ମୋଡ଼ରେ ।
ପବନର ପାହଚରେ
ବୁଣି ବୁଣି ପ୍ରେମର ବାରତା
ଆକାଶର ଅଗଣାରେ
ଲେଖିଦେଉ ହଜାରେ କବିତା ।
ନୀରବ ଋତୁର ରଙ୍ଗେ
ଲହୁଲୁହ କରି ଏକାକାର
ପିଠିରେ ପଥର ବୋହି
ଦୁଃଖ ସବୁ କରୁ ତୁ ନିଜର ।
ତଥାପି ଫୁଟାଉ ହସ
ଦୁନିଆର ପ୍ରତିଟି ମୁହଁରେ
ଖରା କି ବରଷା ଅବା
ଶ୍ରାବଣର ମେଘୁଆ ରାତିରେ ।
କୋଉଥିରେ ଗଢ଼ା କହ
ତୋ ହୃଦର ମୁକୁଳା ଝରକା
ଦିନରାତି ବସି ଏଠି
ସମୟ ମୁଁ ଝୁରେ ଏକା ଏକା ।