ଜନ୍ମଦିନ
ଜନ୍ମଦିନ
ମନେପଡେ ମୋର ପିଲାଦିନ କଥା
ଯେବେ ଆସେ ଜନ୍ମଦିନ
ନୂଆ ବସ୍ତ୍ର ପିନ୍ଧି ବୋଉ ସାଥେ କରେ
ମନ୍ଦିରେ ଦିଅଁ ଦର୍ଶନ ||
ସନ୍ଧ୍ୟାବେଳେ ଘରେ ସଭିଙ୍କର ମେଳ
ସତ୍ୟନାରାୟଣ ପୂଜା
ବୋଉ ହାତ ରନ୍ଧା ପୁରି ତରକାରି
ସାଥିମେଳେ ଖିଆ ମଜା ||
ଆଜି କାଲି କିନ୍ତୁ ବଦଳି ଗଲାଣି
ଜନ୍ମଦିନ ସାଜସଜା
କେକ୍ ନ କାଟିଲେ କ୍ରିମ୍ ନ ନେସିଲେ
ମିଳେ ନାହିଁ କାଳେ ମଜା ||
ରଙ୍ଗ ବେରଙ୍ଗର ବେଲୁନ୍ ସହିତ
ରଙ୍ଗୀନ କାଗଜ ସଜା
ସୁନ୍ଦର ରଙ୍ଗୀନ ମହମ ବତୀକୁ
ଫୁଙ୍କି ଲିଭାଇବା ମଜା ||
ସଭିଏଁ ଗାଆନ୍ତି ସମବେତ ସୁରେ
ହାପି ବାର୍ଥଡେ ସଂଗୀତ
କେକ୍ କୁ ଖାଆନ୍ତି ଉପହାର ଦେଇ
ନାଚନ୍ତି ସାଥି ସଙ୍ଗାତ ||
ଜନମ ଦିନର ପାଳନ ହେଲାଣି
ଏବେକାର ଏକ ଫେସନ
ମଦ ମାଂସ ସାଥେ ନୃତ୍ୟର ଆସର
ନାନା ସୁସ୍ବାଦୁ ବ୍ୟଞ୍ଜନ ||
ସ୍ବାର୍ଥପର ଜଗି ବସିଥାଏ କେବେ
ଆସିବ ସତେ ଏଦିନ
ଫୁଲତୋଡା ସାଥେ ଉପହାର ଦେଇ
ତୋଷି ପାରିବ ସେ ମନ ||
ମିଛରେ ବାକ୍ୟର ଚାତୁରୀ ବଳରେ
ବୋଲାଇବ ଅତି ନିଜର
ବେଳକାଳ ଦେଖି ହାସଲ କରିବ
ନିଜ ସ୍ବାର୍ଥ ସ୍ବାର୍ଥପର ||
ଜନମ ଦିବସ ଗୁରୁତ୍ବ ରଖଇ
ପ୍ରତ୍ୟେକର ଜୀବନର
ମଧୁର ମିଳନ ମୁହୂର୍ତ୍ତଟେ ଏହା
ଆଶିର୍ବାଦ ଲଭିବାର ||
ଜନମ ଦିବସ ଅଟଇ ଜୀବନେ
ଏମିତିକା ଏକ ଦିନ
ହିସାବ ନିକାଶ କରିବାର ବେଳ
କୃତ କର୍ମ ମୂଲ୍ୟାୟନ ||
ଏହି ଦିନ ଅଟେ ସଂକଳ୍ପ ନେବାର
ଆଗାମୀ ସମୟ ପାଇଁ
ଉତ୍ତମ କରମ କରିବାକୁ ହେବ
ଉତ୍ତମ ପଥରେ ରହି ||
