ବନ୍ଧୁପଣ
ବନ୍ଧୁପଣ
ହସରେ ଲୁହରେ ଦୁଃଖରେ ସୁଖରେ
ପାଶେ ସଦା ରହେ ଯିଏ ,
ବିପଦେ ଆପଦେ ରଖେ ନିରାପଦେ
ଉତ୍ତମ ବନ୍ଧୁଟି ସିଏ ॥O୧॥
ଦେଖି ତାର ମୁଖ ମନପାଏ ସୁଖ
ଆଖିରୁ ସେ ବୁଝିଯାଏ,
ଓଠ ଥରି ଉଠେ ପାଟି ତ ନ ଫିଟେ
ଅନ୍ତରେ ସାନ୍ତ୍ଵନା ପାଏ ॥ O୨॥
ଵନ୍ଧୁ ସିଏ ଜାଣ ଯେ ଏକଲା ପଣ
ହୃଦରୁ କରଇ ଦୂର,
ମଧୁର ତା କଥା ଘୁଞ୍ଚିଯାଏ ବ୍ୟଥା
ପରମସଖା ସେ ସାର ॥ O୩॥
ବନ୍ଧୁବାନ୍ଧିରଖେ ରହେ ସଦାପାଖେ
ଶମଶାନେ ରାଜଦ୍ୱାରେ,
ଜୀବନ ପଥରେ ଧୀରେ ହାତ ଧରେ
ସିଏ ବନ୍ଧୁ ପ୍ରକୃତରେ ॥ O୪॥
ମାନ ଅଭିମାନ ଭାବେ ସେ ସମାନ
ବନ୍ଧୁ ସ୍ଵାତନ୍ତ୍ର୍ୟତା ରଖି
ନ କହିଲେ କ୍ଷଣେ ମର୍ମପୀଡା ଜାଣେ
ମୁହଁ ଦେଲେ ଥରେ ଦେଖି ॥ O୫॥
ସଜଫୁଟା ଫୁଲ ନାହିଁ ବନ୍ଧୁ ତୁଲ
ମହମହ ତାର ବାସ,
ନିଃସ୍ଵାର୍ଥପରତା ରହିଛି ସାଇତା
ମନ ନିର୍ମଳ ଆକାଶ ॥ O୬॥
ବନ୍ଧୁ ହୁଏ ସାହା ସଙ୍କଟରେ ଆହା
କିଏ ଦେଖାଇବ ରାହା .
ନିଜ ପ୍ରାଣ ଦେଇ ବନ୍ଧୁତା ରଖଇ
ଇତିହାସେ କହେ ଏହା ॥ O୭॥
କୃଷ୍ଣସୁଦାମାର ସଖ୍ୟଭାବ ଚିର
ସୁଗ୍ରୀବ ସଖା ଶ୍ରୀରାମ,
କର୍ଣ୍ଣ ଦୁର୍ଯ୍ୟୋଧନ ଗୋବିନ୍ଦ ଅର୍ଜୁନ
ପାଳିଥିଲେ ବନ୍ଧୁଧର୍ମ ॥ O ୮॥
ଆସ ମୋରଭାଇ ବନ୍ଧୁଟିଏ ହୋଇ
ବନ୍ଧୁତା ଧନ ଅର୍ଜିବା,
ତ୍ୟାଗ ଆୟୁଧରେ ଏଇଜଗତରେ
ଦୃଷ୍ଟାନ୍ତ ଆମେ ସୃଜିବା ॥ O୯॥
ନୁହେଁ ଏ ବିଚିତ୍ର ସ୍ଥାନକାଳପାତ୍ର
ଦେଖି ବନ୍ଧୁତା କରିବା,
ବନ୍ଧୁତା ବନ୍ଧନ ନକରିବା ଛିନ୍ନ
ତେବେ ସୁଖୀ ଆମେ ହେବା ॥୧୦॥
