ଅନାଲୋଚିତ ପୃଷ୍ଠା
ଅନାଲୋଚିତ ପୃଷ୍ଠା
ଗଭୀର ବର୍ଷାରାତିରେ
ମୋ ଝର୍କା ସେପାଖେ
ଟୁପୁର ଟାପର ସାରା ରାତି ଚାଲେ
ଆକାଶ ସହ ପୃଥିବୀର ପ୍ରେମାଳପ
କାନ ଡେରି ଝର୍କା କାଚରେ
ଶୁଣିବାର ଅପଚେଷ୍ଟା କରେ
କିଛି ସ୍ପଷ୍ଟ କିଛି ଅସ୍ପଷ୍ଟ
ଚପା ଗୁଞ୍ଜରଣ ଖେଳିଯାଏ କୋହୋଲା ପବନରେ
ଆପେ ଆପେ ଶିତେଇ ଉଠେ ଦେହ ମନ
ଏକ ବୈଦ୍ୟୁତିକରେଖା ଟାଣି ହେଇଯାଏ
ଆକାଶ ରୁ ପୃଥିବୀ ଯାଏଁ
ତା' ପରେ ସାରାଟା ଆକାଶ ଝରି ପଡେ ପୃଥିବୀ ବକ୍ଷରେ ।
ଅନ୍ଧାକାର ଭିତରେ ଏକାକାର ହେଇଯାଏ
ସମସ୍ତ ତୃଷିତ ବିକାରତା ଆଉ ଅବଶାଦ
ସକାଳ ଆଲୋକରେ ଝଲସି ଉଠେ
ସଂପୂର୍ଣ୍ଣ ସମର୍ପିତ ଟୋପାଟୋପା ବର୍ଷାବିନ୍ଦୁ
ସନ୍ନ୍ୟାସୀ ପାଲଟି ଯାଆନ୍ତି ପ୍ରତିଟି ବୃକ୍ଷ
ସମ୍ଭୋଗର ସ୍ବେଦରେ ଅବଗାହନ ପରେ
ନିରାସକ୍ତ ସବୁଜିମା ଭିତରେ
ଫୁଟି ଉଠେ ରଙ୍ଗବେରଙ୍ଗର ନୂତନ ସମ୍ଭାବନା
କ୍ଲାନ୍ତ ଆଖିପତେ ନଇଁ ଆସେ
ଆଉ ଏକ ବିନିଦ୍ର ରଜନୀ ପରେ
ଲୋଚାକୋଚା ଚଦର ଉପରେ
ପେଟେଇ ପଡନ୍ତି ଅନେକ ଅନଆଲୋଚିତ ପୃଷ୍ଠା ।
