ଛତିଆବଟ
ଛତିଆବଟ
ବାରମାସେ ଆମ ତେରଟି ପରବ
ଜଗା କରେ ଭକ୍ତ ଧରି
ଭକତ ହୃଦୟୁ ଶ୍ରଦ୍ଧା ବିଶ୍ବାସଟି
ଅବିରତ ଥାଏ ଝରି ।
ଲୀଳା ଖେଳା ତାଙ୍କ ଅଟଇ ଅପାର
ସିଏତ କରୁଣା ବାରି
ମନ ଜାଣି ସିଏ ଏ ଭବ ସାଗରୁ
ସଭିଁଙ୍କୁ କରନ୍ତି ପାରି ।
ନାସ୍ତିକ ଆସ୍ତିକ ପାପୀ ତପୀ ଆଦି
ଶୁଣନ୍ତି ସବୁ ଗୁହାରି
ଭକ୍ତି ଭାବ ଦେଖି ସାହା ହୋଇଥାନ୍ତି
ନେଇଥାନ୍ତି କୋଳକରି ।
ରକ୍ଷା କରୁଥାନ୍ତୁ ବିପଦେ ଭକ୍ତଙ୍କୁ
ସେହି ପ୍ରଭୁ ଚକ୍ରଧାରୀ
ଭକତ ଉପରେ ପଡିଲେ ବିପଦ
ଆସନ୍ତି ସିଏ ବାହାରି ।
ଏ କଳି ଯୁଗରେ ଦାରୁବ୍ରହ୍ମ ରୂପେ
ବିଜେ ପ୍ରଭୁ ନୀଳଗିରି
କଳା ଧଳା ଘୋଡା ଚଢି ସଂହାରିବେ
ଏଇତ ମରତ ପୁରୀ ।
ଶ୍ରୀକ୍ଷେତ୍ରକୁ ଛାଡି ଯିବେ ଜଗନ୍ନାଥ
ଭାଇ ଭଉଣୀଙ୍କୁ ଧରି
ଛତିଆବଟରେ ଗୁପତେ ରହିବେ
କରିବେ ଭକ୍ତଙ୍କୁ ପାରି ।
ଛତିଆବଟଟି ଅତି ମନଲୋଭା
ମନକୁ ରଖେ ସେ ଧରି
କାରୁକାର୍ଯ୍ୟ ତାର ଅତି ଲୋଭନୀୟ
ମନୁ ନା ହୁଏ ପାଶୋରି ।
କ୍ଷୀର ସହିତରେ ରକ୍ତ ଶୋଷିଛନ୍ତି
ପୁତନା ପଡିଛି ମରି
ହିରଣାକ୍ଷ ମାରି ପ୍ରଭୁ ନରହରି
ପ୍ରହ୍ଲାଦ କୋଳ କରି ।
ଏମିତି ଅନେକ ଦୃଶ୍ୟ ଉଦ୍ଭାସିତ
ଛତିଆବଟରେ ପୂରି
ଯେତେ ଦେଖୁ ଥିଲେ ମନ ତ ପୂରେନି
ଆଶା ରହେ ଅସୁମାରୀ ।
କେତେ ଗାଈ ଅଛି ମୟୂର ରହିଛି
କାରୁକାର୍ଯ୍ୟେ ଅଛି ଭରି
ପହଡ ପଡୁଛି ମହାପ୍ରଭୁଙ୍କର
ହରିହାଟେ ଭୋଗ ହରି ।
ଛତିଆବଟରୁ ବାର ହାତ ଖଣ୍ଡା
ପ୍ରଭୁ ନେବେ କରେ ଧରି
କଳା ଧଳା ଘୋଡା ଚଢି ଦୁଇ ଭାଇ
କଳିକୁ ଦେବେ ସଂହାରି ।
ଯାଜପୁର ଜିଲ୍ଲା ଏ ଛତିଆବଟ
ତନୁ ମନ ନିଏ ହରି
ଶହ ଶହ ଭକ୍ତ ପାଦ ପଡିଥାଏ
ଉତ୍କଳ ଗୌରବ ଶିରୀ ।
ଧନ୍ୟ ମହାପ୍ରଭୁ ମହିମା ତୁମର
ଏ ଭବରୁ କର ପାରି
ତୁମେ ପିତାମାତା ଗତି ମୁକ୍ତି ଦାତା
ଆଶ୍ରୟ ପାଦେ ତୋହରି ।
