ଜୀବନ ଏକ ମାନସାଙ୍କ
ଜୀବନ ଏକ ମାନସାଙ୍କ
ଅଙ୍କ ଦୁନିଆଁ ରେ ଜୀବନ ଗଡୁଛି
ଚକ ତା'ର ମାନସାଙ୍କ
ପଣିକିଆ ଖନ୍ଦା ଘୋଷୁଛି ଜୀବନେ
ସମୟର ଚଉବାଙ୍କ ।
ବଳୟ ଜୀବନ କେନ୍ଦ୍ର ବିନ୍ଦୁଠାରୁ
ସମ ଦୂରତାରେ ଅଛି
କେତେ ବେଳେ ରେଖା ଛେଦୁଛି ଏଠାରେ
କେବେ ପୁଣି ଛୁଇଁ ଅଛି ।
ଦୂରରେ ପରଶ ମରୀଚିକା ମାୟା
ମୋହ ଗ୍ରସ୍ତ ଏ ଜୀବନ
ଛୁଇଁ ପାରେ ନାହିଁ ସେ ମାୟା ବିନ୍ଦୁକୁ
ଏଇତ ବନ୍ଧୁ ଜୀବନ ।
ସମାଧାନ ସୂତ୍ର ସମାହିତ ନୁହେଁ
ଅସ୍ପଷ୍ଟ ସେ ସମୀକରଣ
ବଜ୍ର ଘାତ ଅବା ପ୍ରତିକଳ୍ପନ ରେ
ଜୀବନ ଟା ପ୍ରତିକଳନ ।
ସମୟ ଗଣିତ ମାନସାଙ୍କ ସୂତ୍ର
ସମୟ ଅବଧି ମାଗେ
ଏକକ ଚିନ୍ତନ ଭାଙ୍ଗିଦିଏ ପଣ
ନଥାଏ ଯେ ଅନୁରାଗେ।
ମନର ଭାବନା ବୁଝେନି କେ ସିନା
ହାର ଜିତ ଏ ସଂସାର.
ଜୀବନ ଗଣିତ ପଢିବାକୁ ବନ୍ଧୁ
ଲୋଡ଼ା ମୋର ହସ୍ତାକ୍ଷର ।
କେବେ ସେ ସମ୍ପର୍କ ଫଳନ ବିଚାରେ
ଯୋଡିଦିଏ ହୃଦୟ କୁ
କେବେ ଭାଙ୍ଗି ଦିଏ ସୂତ୍ର ଭେଦ କରି
ଏ ଜୀବନ ସଂସାର କୁ ।
ତଥାପି କଷିବି ଗଣିତ ର ସୂତ୍ର
ମାନସାଙ୍କ ଭରି ହୃଦେ
ଜୀବନ ଏକ ମାନସାଙ୍କ ବୋଲି
ଲେଖି ଦେବି ଅବସାଦେ।
ପୁରିଗଲେ ଖାତା ସାଇତି ରଖିବି
ଯଉମୁଦ ଲଫାପା ରେ
ଗଣିତ ପାଠର ଜୀବନ ସଉଦା
ଜୀବନ ମାନସାଙ୍କ ରେ ।
ପ୍ରସୂନ ରେ ଚିନ୍ତା ଉତ୍ତର ଅବ୍ୟକ୍ତ
ଏ ଜୀବନ ମାନସାଙ୍କ
ଅଙ୍କ ଦୁନିଆଁ ର ଚଉବାଙ୍କେ ପଥ
ଜୀବନ ଏକ ମାନସାଙ୍କ ।
ଶୂନ୍ୟ ଜୀବନ ର ଏକକ ବିଚାର
ରହିଥାଉ ମାନସାଙ୍କେ
ଅଙ୍କ କଷିବାକୁ ମସୀ ମୋ ନୟନୁ
ଝରୁଥାଉ ହୃଦ ବାଙ୍କେ ।
କାଗଜର ପୃଷ୍ଠା ଭିଜିଯାଉ ସିନା
ଅଙ୍କ ମୋ ଅଙ୍କେ ରହୁ
ମାନସାଙ୍କ ମୋର ମନ ବନାନୀ ରେ
ଅଙ୍କ ସାଥେ ଭରିଥାଉ ।
