ରଥଯାତ୍ରା
ରଥଯାତ୍ରା


ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ
ସ୍ନାନ ସାରି ହେଲା ଜ୍ଵର
ଅମାବାସ୍ୟା ଦିନ ଜ୍ୱରରୁ ଉଠିଲ
ହୋଇ ନବ କଳେବର।
ଆଗପଛ ହୋଇ ତିନି ରଥ ତୁମ
ରହିଥିଲା ସଜା ହୋଇ
ଭାଇ ଭଉଣୀଙ୍କୁ ସାଥିରେ ନେଇ ଯେ
ରଥରେ ବସିଲ ଯାଇ।
ଆଗେ ବଳଭଦ୍ର ଦର୍ପ ଦଳନରେ
ବିଜେ ପହଣ୍ଡି ଲଗାଇ
ତା ପଛେ ସୁଭଦ୍ରା ଦେବ ଦଳନରେ
ବସିଲେ ସଜ୍ଜିତ ହୋଇ।
ପଛରେ କାଳିଆ ଝୁଲି ଝୁଲି ଆସେ
ଚଢ଼ି ନନ୍ଦିଘୋଷ ରଥ
ବଡ଼ ଦାଣ୍ଡ ଆଜି ଜନ ସମାଗମ
ଉଛୁଳି ପଡୁଛି ପଥ।
ଛୁଆଁ ଅଛୁଆଁ ଭେଦଭାବକୁ ଭୁଲି
କରିବ ଜଗତ ହିତ
ପାପ ତାପ ନାଶି ମଣିଷ ଜୀବନ
ସାର୍ଥକ କରିବ ମିତ।
ମାନବୀୟ ଲୀଳା କରିବାକୁ ଆସେ
ରତ୍ନ ସିଂହାସନ ଛାଡ଼ି
ପତିତ ଜନଙ୍କ ଉଦ୍ଧାର କରିବ
ବଡ଼ ଦାଣ୍ଡେ ରଥ ଚଢ଼ି।
ଜେଡେ ବଡ଼ ପାପୀ ହୋଇଥାଉ ପଛେ
ରଥରେ କଲେ ଦର୍ଶନ
ଦୂର ହୁଏ ସବୁ ପାପ ଅବିଳମ୍ବେ
ପୂର୍ଣ୍ଣ ହୁଏ ମନସ୍କାମ।
ନବଦିନ ରହି ମାଉସୀ ମା ଘରେ
ବାହୁଡ଼ିଲ ଦଶମୀରେ
ଏକାଦଶୀ ପାଳି ରଥର ଉପରେ
ଯାତ୍ରା ସାରି ଦ୍ଵାଦଶୀରେ।
ମହା ଆଡ଼ମ୍ବରରେ ଯାତ୍ରାକୁ ସାରି
ତୃପ୍ତ ଅଧର ପଣାରେ
ସିଂହ ଦ୍ୱାରେ ଯାଇ ପ୍ରବେଶ ହୋଇଲ
ମାନ ଭଞ୍ଜନ ରୂପରେ।