STORYMIRROR

Dharitri Das

Abstract Inspirational

4  

Dharitri Das

Abstract Inspirational

ତଥାପି ଦେଖ ମୋ ଗାଁଆ ହସୁଛି

ତଥାପି ଦେଖ ମୋ ଗାଁଆ ହସୁଛି

2 mins
22


ବଳଦ ଅଛି ଓ ଗୁହାଳ ଅଛି

ଲଙ୍ଗଳ ପାଇଁକି ମଇଟେ ଅଛି

ଅମଳ ପାଇଁକି ଖଳାଟେ ଅଛି

ହେଲେ କଳ ଲଙ୍ଗଳ ସବୁ କରୁଛି

ଲୋଡା ନାହିଁ ଆଉ ମୂଲିଆ କିଛି

ତଥାପି ଦେଖ ମୋ ଗାଁଆ ହସୁଛି।

ରୁଟି ପକାଇଲେ ରାବୁଛି କାଉ

ଚାଷ ଜମିରେ ତ କୋଠାର ଭାଉ

ରାତି ପାହିଲେ ମ୍ୟାଗି ୟିପି ଖାଉ

କିଏ ପଚାରୁଛି ମାଣ୍ଡିଆ ଯାଉ

ଆଜିକାଲି ସବୁ ପୁରୁଣା ହୋଇଛି

ତଥାପି ଦେଖ ମୋ ଗାଁଆ ହସୁଛି।

ଓଷା ପରବରେ ପଡୁନି ଚିତା

ନୂଆବୋହୁ ପାଦେ ନାହିଁ ଅଳତା

ପଖାଳ ବଦଳେ ଇଟିଲି ପିଠା

ଦୋଷା ଚାଆମିନ ସନ୍ଦେଶ ମିଠା

ଗାଁ ନଈପଠା ଆଜି ବଦଳିଛି

ତଥାପି ଦେଖ ମୋ ଗାଁଆ ହସୁଛି

ନଥାଉ ପଛକେ ଗୋଠରେ ଗାଈ

ଏ ସି ରୁମରେ ତା ବାଛୁରୀ ନେଇ

ଶୋଇଥାଏ ସିଏ ଫ୍ୟାନ ଲଗାଇ

ଗୁହାଳ ତା'ର କି ସୁନ୍ଦର ଦିଶଇ

ମଣିଷ ପରିକା ଅୟସ କରୁଛି

ତଥାପି ଦେଖ ମୋ ଗାଁଆ ହସୁଛି।

ଗାଆଁ ପୁଅ ପଛେ ବିଦେଶ ଯାଉ

ଅଇଁଠା ପତର ଉଠାଉ ଥାଉ

ଚାଷବାସ ସବୁ ଉଜୁଡି ଯାଉ

ବିଷ ଖାଇପଛେ ଚାଷୀଟା ଶୋଉ

ମାଆ କହେ ପୁଅ ଚାକିରୀ କରିଛି

ତଥାପି ଦେଖ ମୋ ଗାଁଆ ହସୁଛି।

ନ ବସୁ ମାଟିର ହାଣ୍ଡିରେ ଭାତ

ନ ପଡୁ ପଛକେ ବିଲରେ ଖତ

ନଥାଉ ଗାଆଁରେ ଛପର ଛାତ

ବାପ ଖାଉଥାଉ ପୁଅଠୁ ନାତ

କିଏବା କ'ଣ ଏଇଠି କରୁଛି

ତଥାପି ଦେଖ ମୋ ଗାଁଆ ହସୁଛି।

ବୋଉଡାକ ପରା ମମି ହୋଇଲା

ବାପା ଡାକଟିକୁ ଡାଡି ଘେନିଲା

ଶାଢ଼ୀ ଛାଡି ନାଇଟିକି ପିନ୍ଧିଲା

ବୋହୁ ସହରୀଆ ଢାଞ୍ଚା ଧରିଲା

ଶାଶୁଟି ପୋଇଲି ପଛେ ବନିଛି

ତଥାପି ଦେଖ ମୋ ଗାଁଆ ହସୁଛି।

ଓଷାବାର ସବୁ ଚୁଲିକୁ ଗଲା

ପିଠାପଣା ସାତସପନ ହେଲା

ବାପକାନ୍ଧେ ପୁଅ ମଶାଣି ଗଲା

ଆମ୍ବ ବଗିଚାରେ କୋଠା ବନିଲା

ମାଳି ବିଚରାଟି ଦେଖି କାନ୍ଧୁଛି

ତଥାପି ଦେଖ ମୋ ଗାଁଆ ହସୁଛି।

ଘରଣୀ କଥାରେ ପୁରୁଷ ଜାତି

ଉଠବସ ହୋଇ ଥାଆନ୍ତି ନିତି

ବୃଦ୍ଧ ପିତାମାତା ନକରି ପ୍ରୀତି

ବୃଦ୍ଧାଶ୍ରମେ ନେଇ ଛାଡିଲେ ଶାନ୍ତି

ଘରଣୀ ତାହାର ଖୁସି ହେଉଛି

ତଥାପି ଦେଖ ମୋ ଗାଁଆ ହସୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract