କିଏ ସେ ବିନ୍ଧାଣୀ
କିଏ ସେ ବିନ୍ଧାଣୀ
କିଏ ସେ ବିନ୍ଧାଣୀ ଗଢ଼ିଲା ବରଷ
ବାରମାସ ଛଅ ଋତୁ
ଗ୍ରୀଷ୍ମ ପରେ ବର୍ଷା ତାପରେ ଶରତ
ବନସ୍ତେ ଫୁଟିଲା ଛତୁ।
ହେମନ୍ତ ଯାଆନ୍ତେ ଶୀତ ଓ ବସନ୍ତ
କ୍ରମ ଅନୁସାରେ ଆସି
ମହୀକୁ ସୁନ୍ଦର ସୁଶୋଭିତ କରି
ଉପମାରେ ଯା'ନ୍ତି ଭାସି।
ବର୍ଷା ପରେ ଯେବେ ଆସଇ ଶରତ
ଭାଦ୍ରବ ଆଶ୍ୱିନ ମାସେ
ମୃଣ୍ମୟୀ ଦେବୀଙ୍କ ଆବିର୍ଭୁତ ହୁଏ
ଶାରଦୀୟ ମେଳା ବସେ।
ମହା ଆଡ଼ମ୍ବରେ ମାତା ଦଶଭୁଜା
ମର୍ତ୍ତ୍ୟକୁ ଓହ୍ଲାଇ ଆସି
ନବ ଦିନ ଧରି ନବରାତ୍ରି ପୂଜା
କରନ୍ତି ଜଗତ ବାସୀ।
ପ୍ରଥମ ଦିନରେ ରୂପ ଶୈଳପୁତ୍ରୀ
ଦ୍ୱିତୀୟେ ବ୍ରହ୍ମଚାରିଣୀ
ତୃତୀୟ ଦିନରେ ମାତା ଚନ୍ଦ୍ରଘଣ୍ଟା
ତୁହି ମା ଦୁଃଖ ନାଶିନୀ।
ଚତୁର୍ଥରେ ମାତା କୁଷ୍ମାଣ୍ଡା ନାମରେ
ପୂଜିତ ସାରା ଜଗତେ
ପଞ୍ଚମରେ ମାତା ସ୍କନ୍ଦମାତା ନାମ
ଧରି ପୂଜନ୍ତି ଭକତେ।
ଷଷ୍ଠରେ ମାତାଙ୍କ କାତ୍ୟାୟନୀ ରୂପ
ସପ୍ତମରେ କାଳରାତ୍ରୀ
ମଣ୍ଡପରେ ବସି ପୂଜା ପାଉଛନ୍ତି
ଅଷ୍ଟମରେ ସିଦ୍ଧିଦାତ୍ରୀ।
ନବମ ଦିନରେ ମହାଗୌରୀ ପୂଜା
ମହା ସମାରୋହେ ହୋଇ
ଦଶମୀ ତିଥିରେ ବିଜୟା ଦଶମୀ
ଦଶହରା ପାଳି ଥାଇ।
ସିନ୍ଦୂର ଖେଳରେ ଦଶହରା ତିଥି
ଶରତ ଗଭାକୁ ରଞ୍ଜେ
ସୁନୀଳ ଅମ୍ବରେ ଭସା ବାଦଲ ଯେ
ପ୍ରକୃତିର ମନ ଗଞ୍ଜେ।
ଜାଣେ ନାହିଁ ପୂଜା ଭକ୍ତି ଆରାଧନା
ଛାର ନାରୀଟିଏ ମୁଁହି
ଶୁଣିଛି ପୁରାଣେ ଜନ୍ମନେଉ ମାତା
ଦୁଷ୍ଟ ବିନାଶିବା ପାଇଁ।
ଏ କଳି ଯୁଗରେ ଦୁଷ୍ଟ ସଂଖ୍ୟା ବଢେ
ଏ କଥା କି ଜଣା ନାହିଁ
ମହିଷାସୁରଙ୍କ ପ୍ରାଦୁର୍ଭାବ ସହି
ଅଧୀର ହେଲାଣି ମହୀ।
ଆସ ଆସ ମାଆ ପୃଥିବୀ ପୃଷ୍ଠକୁ
ଅବତରି ଆସବାରେ
ସଂହାର କାରିଣୀ ସତ୍ୟ ସନାତନୀ
ଅସ୍ତ୍ର ଶସ୍ତ୍ର ଧରି କରେ।
ନାରୀ ନିର୍ଯାତନା ଲଜ୍ଜା ନିବାରଣ
ଦୁର୍ନୀତି ଶୋଷଣ ନାଶି
କିର୍ତ୍ତିମୟୀ ହୁଅ ମୃଣ୍ମୟୀ ଦେବୀଗୋ
ଧରା ପୃଷ୍ଠକୁ ଉସ୍ୱାସି।
