STORYMIRROR

Dharitri Das

Inspirational

4  

Dharitri Das

Inspirational

ଜୀବନର ଅନ୍ତରାଳେ

ଜୀବନର ଅନ୍ତରାଳେ

2 mins
9

ଜୀବନଟା ଏକ ଆଶାର ଭଣ୍ଡାର

       ଅନ୍ତହୀନ କାମନାର
ବିନାଶ ନୁହଁଇ ସହଜ ସାପେକ୍ଷ
      କାରଣ ସାଜେ ଦୁଃଖର।
ତଥାପି ମଣିଷ ବୁଝେନାହିଁ କିଛି
    ମାୟା ଜାଲେ ଛନ୍ଦି ହୋଇ
ଆଶା ପରେ ଆଶା କରି ଚାଲିଥାଏ
     ମରଣ ଶଯ୍ୟାରେ ଶୋଇ।
ବୁଝେ ନାହିଁ କେବେ ପାଇବାଠୁ ଦେବା
      କେତେ ଯେ ଆନନ୍ଦମୟ
ନିଜେ ବଞ୍ଚିବାଠୁ ଅନ୍ୟକୁ ବଞ୍ଚାଇ
       ଜୀବନ ଯେ ସୁଖମୟ।
ବୈଭବ ପାଇବା ଆଶାରେ ଜୀବନ
       ବିତିଯାଏ କେତେବେଳେ
ଜଣା ପଡ଼େ ନାହିଁ ଆକାଂକ୍ଷା ବଢ଼ଇ
       ଜୀବନର ଅନ୍ତରାଳେ।
ଅତୃପ୍ତ ତୃଷାର୍ତ୍ତ      କ୍ଷୁଧାର୍ତ୍ତ ଜୀବନ
      ଦୌଡୁ ଥାଏ ଯନ୍ତ୍ରବତ୍
ଅହଙ୍କାର ବଶେ ଈଶ୍ବରଙ୍କ ସତ୍ତା
      ଭୁଲଇ ତତକ୍ଷଣାତ୍।
ପ୍ରକୃତ ଜୀବନର ଅନ୍ତକରଣ
      ଦେଇଥାଏ ଆତ୍ମତୃପ୍ତି
ଏହି ଚିନ୍ତନରେ ମନ ନିବେଶିଲେ
      ଉପୁଜଇ ପରିସ୍ଥିତି।
କାମିନୀ କାଞ୍ଚନ ମାୟାରେ ମୋହିତ
     ନ ହୋଇ ବଞ୍ଚିବା ପାଇଁ
ନିରାଡ଼ମ୍ବର ଚାକଚକ୍ୟ ପୂର୍ଣ୍ଣତା      
    ନ ଛାଡ଼ିଲେ ଶାନ୍ତି ନାହିଁ।
ଏହିକଥା ଯେବେ ବୁଝିଗଲି ମୁଁହି
      ଆନନ୍ଦରେ ଆତ୍ମହରା
କର୍ମରେ ଉତ୍ସାହ ଉନ୍ମାଦନା ଭରି
       ଧରାକୁ ମଣିଲି ସରା।
ଧନ ଉପାର୍ଜନ ବିଳାସ ଜୀବନେ
    ଲୋଡ଼ା ନାହିଁ ଜାଣି ଗଲି
ସନ୍ତୋଷ ଜୀବନ ଅତି ଶ୍ରେୟସ୍କର
     ମହନୀୟ ଗୁଣ ଭଳି।
ଅହଙ୍କାର ତ୍ୟାଗ ପରଶ୍ରୀକାତର
    ହିଂସା ଦ୍ୱେଷ ସ୍ବାର୍ଥ ଭୁଲି
ସହଯୋଗ ମନୋବୃତ୍ତି ଆପଣେଇ
      ସହାୟତା ଯେବେ କଲି।
ସେହିଦିନୁ ବିଭୁ ପାଦାରବିନ୍ଦରେ
      ନିଜକୁ ସମର୍ପି ଦେଲି
ତାଙ୍କ ନାମ ଧରି ଗୁଣ ଗାନ କରି
        ପରମାନନ୍ଦ ଲଭିଲି।
ଧନ୍ୟ ସେହି ପ୍ରଭୁ ଧନ୍ୟ ତାଙ୍କ ଲୀଳା
       ଅମୃତରେ ତୃପ୍ତ ହେଲି
ବନ୍ଧନରୁ ମୁକ୍ତ ହେବା ପାଇଁ ଏକ
        ସୁନ୍ଦର ନାବ ମଣିଲି।
ସେଥିପାଇଁ ପରା ଦୀନ ହୀନ ଦାସ
        କରୁଛି ବିନତୀ ପାଦେ
ଘେନାକର ପ୍ରଭୁ   ଶିରିପତି ତୁମେ
     ଭକ୍ତି ଅଞ୍ଜଳି ଆମୋଦେ।
        
ଧରିତ୍ରୀ ଦାସ, ଯାଜପୁର।
୯୨୩୮୯୦୨୯୩୦

      

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational