ଦୀପଟିଏ ମୋତେ କର
ଦୀପଟିଏ ମୋତେ କର
ଗର୍ବ,ଅହଙ୍କାର,ଘୃଣାର ଦୁଆରେ
ଦୀପଟିଏ ମୋତେ କର
ଜଳି ଜଳେଇବି ବିଭେଦର ବାଡ଼
ଅମାରାତି କରି ଦୂର ।
ମୁରୁଜ ଭିତରେ ମୁରୁକି ହସିବି
ମମତାର ମଧୁ ତୋଳି
ଯେଉଁଦିନ ଆମ ହୃଦୟ ଭିତରୁ
ଭୟ ଯାଇଥିବ ଟଳି ।
ନିଜ ଭିତରର ଅନ୍ଧାରକୁ ଯିଏ
ପାରୁନାହିଁ ଜମା ଧରି
କେମିତି ବୁଝିବ ଦୁନିଆର
ଦୁଃଖ
ଆଲୁଅକୁ ଡେଣା କରି !
ସୁଖର ସଳିତା ଜାଳି ଜାଳି ଏଠି
ଦୁଃଖକୁ କରିବି ଜୟ
ଉଆଁସର କଳା ଘୁମର ରାତିକୁ
କରିବିନି ଜମା ଭୟ ।
ସାରା ଦୁନିଆକୁ ଦୀପରେ ସଜେଇ
ବନେଇବି ଦୀପାବଳୀ
ପ୍ରେମର ପରଶେ ବାଣ୍ଟୁଥିବି ନିତି
ମମତାର ମଧୁକଳି ।