ଧୂଆଁରେ ତୋଳିଛି ଘର
ଧୂଆଁରେ ତୋଳିଛି ଘର
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଜୀଇଁବାକୁ ହେଲେ ଜୀବନରେ ଝିଅ
ମରିବାକୁ ପଡ଼େ ବେଶି
ମରିବା,ଜୀଇଁବା ଦୁନିଆର ଖେଳ
ଲୁହ ଏଠି ବାରମାସୀ ।
ଖୁସିର ସକାଳ ନୁହେଁ ବେଶି କାଳ
ଅନ୍ଧାରକୁ ଯିଏ ଡରେ
ତାରାର ରୋଷଣୀ ଜାଳି ଜାଳି ନିତି
ଜୋଛନାକୁ ଖାଲି ଝୁରେ ।
ନିଆଁର ନାଆରେ ପାଦ ଥାପି ଥାପି
ଧୂଆଁରେ ତୋଳିଛି ଘର
ପାଉଁଶ ଗଦାରେ ସପନ ଦେଖିଛି
ବହୁବାର ବହୁବାର ।
>
ଆଖିରେ ବହିଛି ଉଜାଣି ଯମୁନା
ଛାତିରେ ବହିଛି ଝଡ଼
ପେଟତଳ ଭୋକ ମନେ ମରି ମରି
ଭାଙ୍ଗିଛି ପଞ୍ଜରା ହାଡ଼ ।
ତଥାପି ହାରିନି ହଜାରେ ଦୁଃଖର
ସାତସିଆଁ ଇତିହାସ
ନୀରବି ଯାଇନି ଅନ୍ଧାରର ଶେଯେ
ପୁରୁଷର ଅବିଶ୍ୱାସ ।
କିଏ ଫେଡ଼ିଦେଵ ଜୀବନ ବେଦୀରୁ
ଅସହାୟତାର ସୁଅ
ଅଭାଗିନୀ ଝିଅ ପଚାରେ ବାପାକୁ
କି ଉତ୍ତର ଦେବ କୁହ ???