ଜୀବନ- ଖେଳ
ଜୀବନ- ଖେଳ
ସମ୍ପର୍କର ମାୟା ଜାଲରେ ବନ୍ଧା
ତେଲ-ଲୁଣର ସଂସାର ,
କେବେ ହସ ଏଠି, କେବେ ଲୁହ ଝରେ
ସୁଖ-ଦୁଃଖ ନୁହେଁ ସ୍ଥିର ।
ଏନ୍ତୁଡ଼ି ଘରୁ କୁଆଁ କୁଆଁ ରାବେ
ହୁଅଇ ଖେଳ ଆରମ୍ଭ
ଶେଷ ହୁଏ ପୁଣି ଶ୍ମଶାନ ଭୂଇଁରେ
ଏହି ଯେ ତା'ର ପ୍ରାରବ୍ଧ ।
ଖେଳ ଆରମ୍ଭେ ହସ୍ତ ଶୂନ୍ୟ ତୋର
ଫେରିବୁ ତୁ ରିକ୍ତହସ୍ତା
ବୃଥା ଧାଉଁ ଧନ ଦଉଲତ ପଛେ
କେବେ ଫେରିବ ତୋ ଚେତା !
ଯାହା ଇଚ୍ଛାରେ ତୁ ଖେଳୁଅଛୁ ଧନ
ଜୀବନରେ କେତେ ଖେଳ
ତା' ପାଦରେ ଥରେ ଦେଇ ଦେ' ତୁ ମନ
ସେହି ଏକା ତୋର ବଳ ।
ତାଙ୍କରି ଇଚ୍ଛାରେ ଜୀବନ ତମାମ
ଖେଳ ରଚୁ ନିରନ୍ତର
କିମ୍ପାଇ ତୋହର ଏତେ ଯେ ବଡ଼େଇ
କ୍ରୋଧ ହିଂସାରେ ଜର୍ଜର ।
ଖେଳ ସାରି ତୋର ଫେରିବୁ ତୁ ଦିନେ
କାଳ ଡୋରେ ହୋଇ ବାନ୍ଧି
ଧନ-ମାନ ଆଦି ମୃଗତୃଷ୍ଣା ମାୟା
ମିଛରେ ହେଉ ତୁ ଛନ୍ଦି ।
ଖେଳୁଆଡ଼ ଭାବ ନାହିଁ ତୋ ପାଖରେ
ସତକୁ କରୁ ତୁ ମିଛ
ଆହା କି ବଡ଼େଇ, ଅଢେଇ ଦିନକୁ
ବିଶ୍ଵାସରେ ଭରୁ ବିଷ ।
ଖେଳୁ ଥା' ରେ ମନ ହୋଇ ସାବଧାନ
ହୃଦେ ଭରି ରାମ-ନାମ
ଅଦିନରେ ତୋର ସରିଗଲେ ଖେଳ
ବାନ୍ଧିନେବ କାଳ ଯମ ।
ଜୀବନ ଖେଳ ଏ ପାଣିର ଫୋଟକା
ଏବେ ଅଛି ଏବେ ନାହିଁ
ଧର୍ମ-କର୍ମ କିଛି କର ତୁ ସଞ୍ଚୟ
ସଂସାରୁ ଉଦ୍ଧାର ପାଇଁ ।
