STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ଭିଟାମାଟି ର କ୍ଷଦୋକ୍ତି

ଭିଟାମାଟି ର କ୍ଷଦୋକ୍ତି

1 min
175


ଭିଟାମାଟି କାନ୍ଦେ ଆରେ ଧନମଣି

               ପର କରିଗଲୁ ମୋତେ

ବିଦେଶେ ରହି ତୁ କି ଯଶ ପାଇବୁ

            ମାଆ କାନ୍ଦେ ତୋ ନିରତେ

ମୋ ଧନ ସଂଖାଳି ନୟନ ର ମଣି

ଝୁରି ହୁଏ ଧନ ତୋର ଗୁଣ ଗୁଣି,

କୋଳେ ବଢାଇ ମୁଁ ରଖିଥିଲି ଧନ

              ଘୋଡାଇ କାନୀ ପଣତେ ।।


ମୁହିଁ ଜନ୍ମ ମାଟି ପୂର୍ବ ପୁରୁଷ ର

                ଅକ୍ଷୟ କୀରତି କେତେ

ମୋ ଦେହେ ଖୋଦିତ ହୋଇଅଛି ଧନ

               କି ସୁଖ ବିମାତା ପାସେ

କିପାଇଁ ବିମନା ଆରେ ଧନମଣି

ପରକରି ଗଲୁ ନବୁଝି ନଶୁଣି,

ପଡିଆ କଂକାଳ ହୋଇ ପଡ଼ିଅଛି

             ନଦେଖି ତୋତେ ମୁଁ ନେତ୍ରେ ।।


ଫେରିଆ ଫେରିଆ ମୋ ନୟନ ତାରା

                 ତୋ ପଥକୁ ଅଛି ଚାହିଁ

ସାତ ପୁରୁଷର ଭିଟାମାଟି,ମନୁ

                  ଅନ୍ତର କରି ମୁଁ ନାହିଁ

ପୁତ୍ର ହୋଇପାରେ କୁ ପୁତ୍ର ସିନାରେ

ମାତା କି କୁମାତା କେବେ ହୋଇପାରେ

ମୋର କୋଳ ଏବେ ଖାଲି ପଡ଼ିଅଛି

               କୋଳେଇ ନେବିରେ ମୁହିଁ ।।


ତୋ ଇଷ୍ଟ ଇଶାଣ ଜଡିଶଢି କୋଣେ

             ହେଲାଣି ରେ ନାରଖାର

ଗଛ,ଲତା ମାଡି ଗଲାଣି ଦେହରେ

                 ବିବର୍ଣ୍ଣ ଦିଶେ ଶରୀର

ଝୁରଇ ଗଡିଆ ଝୁରେ ତୋଟାମାଳ

ଝୁରଇ ଗାଧୁଆ ତୁଠ ନଈକୂଳ

ହତାଦର ଆଉ ନକରରେ ଘେନ

                 ସନ୍ଦେଶ ଏହି ମୋହର ।।


ହସି ଉଠିବରେ ଗାଆଁ ଘର ଦ୍ଵାର

               ହସିବ ତୋର ସଂସାର

ସୁନାର ଫସଲେ ହସିବ କିଆରି

               ଦୁଃଖ ହୋଇଯିବ ଦୂର

ମୋ ରଙ୍କ ରତନ ହୃଦୟ ର ହାର

ନଝରୁ ରେ ଲୁହ ଆଉ ମୋ ଆକ୍ଷିର

ଭିଟାମାଟି ର ପା ୟେ ଆର୍ତ୍ତସ୍ଵର ରେ

               ଶୁଣି ଖେଦ ଦୂର କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract