STORYMIRROR

Dhaneswar Dash

Inspirational

4  

Dhaneswar Dash

Inspirational

ମୋତେ ଯେତେ ମାଠିବ ମାଠ

ମୋତେ ଯେତେ ମାଠିବ ମାଠ

1 min
159


ଆଜ୍ଞା ଆପଣର ଯୁଗ ଚାଲିଗଲା

ସେ କଥାକୁ ଆଉ ପଚାରେ କିଏ,

ଆଣ୍ଠୁ ଛୁଇଁ ଦେଇ ମୁଣ୍ଡିଆ ମାରନ୍ତି

ପ୍ଯାଣ୍ଟ ଫାଟିଯିବା ଭୟରେ ପ୍ରାୟ।


ସାବଲୀଳ କଥା ସପନ ହେଲାଣି

ଫୋପାଡିଲା ଭଳି କଥା କୁହନ୍ତି,

ଗୁରୁ ଗୁରୁଜନ କାନ୍ଧେ ହାତଦେଇ 

ନିଜକୁ ଅବଶ୍ଯ ବଡ ମଣନ୍ତି।


ଲେଖାରେ ନାହିଁ କି ଭାଷାରେ ବି ନାହିଁ

ଏମିତି ସଂସ୍କାର ଶୁଣିନି କାନ,

ଧନ୍ୟବାଦଟିଏ ଫୋପାଡି ଦେବାରେ

ଗଣା ହେଉଛନ୍ତି ମହତ ଜନ ।


ଦେଖି, ଶୁଣି ଅବା ଅନୁସରଣରେ 

ଆଚରଣ ଭାବ ବଦଳିଥାଏ 

ଏମିତିଆ ବେଳ ଆସିଲା ଯେଉଁଠି

ଆଚରଣ ପୋଡି ପାଉଁଶ ହୁଏ ।


ଆଜି ଯେଉଁ ଜାଗା ଅଧିନରେ ଅଛି

କାଲି ସେ ଜାଗାରୁ ଯିବାକୁ ହେବ,

ସେ ଜାଗାରେ ଯିଏ ଆସିବ କାଲିକୁ

କେଉଁ ବ୍ଯବହାର କରିବ ଭାବ ?


ବଡ ପିଢି ଶିକ୍ଷା ଦେଲେ ଛୋଟ ପିଢି

ଆଚରଣ ତାଙ୍କ ବଦଳିହେବ 

ବଡ ନାଆ ଯେଉଁ ବାଟେ ଯାଉଥିବେ 

ଛୋଟ ତାଙ୍କ ଅନୁସରଣେ ଥିବ ।


ଏତିକି ଜ୍ଞାନକୁ ହଜାଇ ବସିଲେ

କେଉଁ ମଣିଷରେ ହୋଇବ ଗଣ୍ୟ,

ଭସ୍ମାସୁର ଭଳି ମୁଣ୍ଡେ ହାତ ଦେଇ

ନିଜ ମୃତ୍ଯୁକୁ କରିବ ବରଣ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational