ତୁମେ ଥିଲ ବୋଲି
ତୁମେ ଥିଲ ବୋଲି
ତୁମେ ଥିଲ ବୋଲି ବସନ୍ତ ଋତୁ ଟା
ଦିଗ ହରା ହେଉଥିଲା,
ବଗିଚାରେ ଥରେ ବୁଲି ଆସୁଥିଲେ
ପୁଷ୍ପ ଯେ ମହକୁ ଥିଲା ।
ତୁମେ ଥିଲ ବୋଲି ଗ୍ରୀଷ୍ମ ଋତୁ ପରେ
ବାଦଲ ଘନାଉ ଥିଲା,
ରିମିଝିମି ଶବ୍ଦ ଉତ୍ତରା ପବନ
ସୁଲୁ ସୁଲୁ ବହୁଥିଲା ।
ତୁମେ ଥିଲ ବୋଲି ସମୁଦ୍ର ବକ୍ଷରେ
ତରଙ୍ଗ ଦୋଳାୟମାନ,
ନା ନା ଜାତି ପକ୍ଷୀ ସୁଦୂର ଦେଶରୁ
କରୁଥିଲେ ପଦାର୍ପଣ ।
ତୁମେ ଥିଲ ବେଳେ ପୂର୍ଣ୍ଣିମା ରାତିରେ
ଚନ୍ଦ୍ରମା ମଉଳି ଯାଏ,
ଆକାଶରେ ଫୁଟି ଟିକି ଟିକି ତାରା
ଧପ ଧପ କରୁଥାଏ ।
ତୁମେ ଥିଲ ବୋଲି ନିସଙ୍ଗ ଜୀବନେ
ଉନ୍ମାଦନା ଖେଳୁଥିଲା,
ସପ୍ତରଙ୍ଗ ତୋଳି ଶୂନ୍ୟ ଆକାଶରେ
ଇନ୍ଦ୍ରଧନୁ ଆଙ୍କୁଥିଲା ।
ତୁମେ ଥିଲ ବୋଲି ମନର ମହକ
ମହ ମହ ବାସୁଥିଲା,
ସ୍ଥିତପ୍ରଙ୍ଗ ହୋଇ ମନ ମନ୍ଦିରରେ
ଅପରୂପ ଗଢୁଥିଲା ।
ତୁମେ ଗଲା ପରେ ଚଳଚଞ୍ଚଳତା
ଶୂନ୍ୟେ ପରିଣତ ହେଲା,
ଧରାବକ୍ଷେ ବୃକ୍ଷ ତରୁ ଲତା ମାନ
ମଉଳନେ ଝଡିଗଲା ।
ତୁମେ ଗଲା ପରେ ଆକାଶଟା ଖାଲି
ଫିକା ଫିକା ଲାଗୁଥିଲା,
ରଙ୍ଗର ମହଲ ବେରଙ୍ଗ ହୋଇଲା
ମନ ମରି ମରି ଗଲା ।
ତୁମେ ଗଲା ପରେ ଗହଳି ମଧ୍ୟରେ
ନିଛାଟିଆ ଲାଗୁଥିଲା,
ଶୁଷ୍କ ପଡିଗଲା ଆନନ୍ଦ ଜୀବନେ
ନିଃସଙ୍ଗତା ଛାଇଗଲା ।
ଫେରିଆସ କୃଷ୍ଣ ରାଧାରାଣୀ ସଙ୍ଗେ
କରି ବଇଁଶୀ ବାଦନ,
ସତେଜିତ ହେଉ ଧରଣୀର ବକ୍ଷ
ପୁଲକିତ ହେଉ ମନ ।
ଖେଳିଯାଉ ମନେ ଆନନ୍ଦ ଲହରୀ
ଶୂନ୍ୟ ଆଲୋଡନ କରୁ,
ଗୋପାଙ୍ଗନା ଧରି କାଖରେ କଳସୀ
ପ୍ରେମ ଆସ୍ବାଦନ କରୁ ।
ବଇଁଶୀର ସ୍ବନ ବିମୋହିତ କରୁ
ସକଳ ପ୍ରାଣୀଙ୍କ ମନ,
କୃଷ୍ଣ କଳା ନେଇ ଚିତ୍ରଣ କରନ୍ତୁ
ସମଗ୍ର ଜୀବ ଜୀବନ ।।