ଅନ୍ତରଙ୍ଗ ମୁହୂର୍ତ୍ତ
ଅନ୍ତରଙ୍ଗ ମୁହୂର୍ତ୍ତ
ଜୀବନର ଅଙ୍କାବଙ୍କା ନଈ ସେପାରିରେ
ଝାପ୍ସା ଝାପ୍ସା ଦିଶୁଥିବା ପ୍ରତିଛବି ଧାରେ
ମାନେନାହିଁ ବନ୍ଧବାଡ ମାନେନା ଲହଡ଼ି
ପଶିଆସେ ହୃଦୟରେ ଜଳାଇ ଦିହୁଡି
ଅନ୍ତରଙ୍ଗ ଯେତେ ଯା' ମୁହୂର୍ତ୍ତ
ବଞ୍ଚିବାର ନିଶାଣକୁ କରଇ ନିଶାତ ।
କେତେ ଯେ ରୋମାଞ୍ଚକର ସ୍ମୃତିର ବିତାନ
ଦୁଃଖଦ ପାଂଶୁଳ ଅବା ଧୁସର ବିବର୍ଣ୍ଣ
ସୁଖକର ସ୍ଵପ୍ନିଳ ସେ ମଖମଲି ଶେଯ
ଆନନ୍ଦର ଆବେଗର ମଧୁମୟ ତୂର୍ଯ୍ୟ
ଅନ୍ତରଙ୍ଗ ସମସ୍ତ ମୁହୂର୍ତ୍ତ
ବଞ୍ଚିବାର ନିଶାଣକୁ କରଇ ନିଶାତ ।
ମାଆର ପଣତେ ପାଇଥିବା ସେ ଉଷ୍ମ ଆଶ୍ଳେଷ
ବିଧ୍ଵସ୍ତ ଦରିଆ କୂଳେ ନେବାକୁ ନିଃଶ୍ବାସ
ଦୁଃଖର ସୁଡ଼ଙ୍ଗ ଅନ୍ତେ ସୁଖ ସରହଦ
ପାଇବାକୁ ଦେଇଥିବା ସେ ମନ୍ତ୍ର ଅଭେଦ୍ୟ
ଅନ୍ତରଙ୍ଗ ସେଇ ସେ ମୁହୂର୍ତ୍ତ
ବଞ୍ଚିବାର ନିଶାଣକୁ କରଇ ନିଶାତ ।
ମନର ମଣିଷ ସାଥେ ପ୍ରତି ପଦପାତେ
ଛନ୍ଦୋବଦ୍ଧ ଜୀବନରେ ବିଷାଦେ ହର୍ଷିତେ
ଅବ୍ୟକ୍ତ ମଧୁରତମ ଚାରୁ ସମ୍ମୋହନ
ଆବେଗ ଆଶ୍ଳେଷ ମୁଗ୍ଧ ସେ ବାହୁବନ୍ଧନ
ଅନ୍ତରଙ୍ଗ ପ୍ରତିଟି ମୁହୂର୍ତ୍ତ
ବଞ୍ଚିବାର ନିଶାଣକୁ କରଇ ନିଶାତ ।
ନିରୋଳା ବିଜନ ବୋଳା ବେଳାଭୂଇଁ ତୀରେ
ଅବା ହେଉ ଆମ୍ରକୁଞ୍ଜ ନଈପଠା ଧାରେ
ସଖି ସାଥେ ମନକଥା ବିତରି ଗୋପନେ
ଦୁଃଖ କରି ଅର୍ଦ୍ଧଭାଗ ସୁଖକୁ ଦିଗୁଣେ
ଅନ୍ତରଙ୍ଗ ଥିଲା ଯେ ମୁହୂର୍ତ୍ତ
ବଞ୍ଚିବାର ନିଶାଣକୁ କରଇ ନିଶାତ ।