ଦିନମଜୁରିଆ
ଦିନମଜୁରିଆ
କଷଣେ ସଢ଼ୁଛି ଦିନମଜୁରିଆ
ଶୋଷଣ ଶିକାର ହୋଇ
ପୋଷଣ ପାଉନି ଖଟୁଛି ବିକଳେ
ଦାନା ମୁଠେ ପେଟ ପାଇଁ
ପରିବାର ପ୍ରତିପୋଷଣେ
କେତେ ଅତ୍ୟାଚାର ସହୁଛି ଜୀବନେ
ପେଟରେ ଗୋଇଠା ଖାଇ ।
ଅଙ୍ଗେନିଭା କଥା କହିବ କାହାକୁ
ଶୁଣିବ କିଏ ସଂସାରେ
ସବୁ ସଇତାନ ସବୁ ବେଇମାନ
ସର ପକାନ୍ତି ପାଣିରେ
ଧର୍ମକୁ ମାରି ଆଖିଠାର
ଦିନରେ ଚନ୍ଦ୍ରମା ରାତିରେ ସୂରୁଜ
ମନ ନିଅନ୍ତି ମୋହିରେ ।
ମୋଟ ବୋହି ବୋହି ବିତଇ ଜୀବନ
ସହରର କମ୍ପାନୀରେ
ରୋଗ ବ୍ୟାଧି ହେଲେ କାମ ହୁଏ ଠପ
ତାରା ଗଣଇ ଦିନରେ
କିଏ ଦେବ ତାକୁ ଭରଷା
ରାହା ପାଏ ନାହିଁ ସାହା ପାଏ ନାହିଁ
ଜୀବନର ଦୋଛକିରେ ।
ଜରିପାଲ ତଳେ ବିତଇ ଜୀବନ
ଚୁଲି ଚାଳ ନାହିଁ ତାର
ସହରୁ ଫେରଇ ମାଆ ମାଟି ପାଇଁ
ନଭୁଲି ସ୍ନେହ ଆଦର
ଉଙ୍କିମାରେ ଅନେକ ଆଶା
ସରକାରୀ ଦାନେ ତିଆରିବ ଘର
ସୁଖେ ବଞ୍ଚିବ ସଂସାର ।
ଆଶା ଝଡି ଯାଏ ହସ ମରିଯାଏ
ମଉଳେ ମନ ପରାଣ
ବିଧି କାହିଁ ପାଇଁ ହେଉଅଛି ବାମ
ଗରିବ ହୁଏ ବିପନ୍ନ
ହେ ବ୍ୟଥାହାରି ଦୀନବନ୍ଧୁ
ଦୁର୍ଲ୍ଲଭ ଜନମ କିମ୍ପାଇଁ ଦେଇଛ
ଭୋଗି ଭୋଗି ଯାଏ ପ୍ରାଣ ।
ସଦବୁଦ୍ଧି ଦିଅ ଆହେ ଦୟାମୟ
ଅସଜଡ଼ା ଯେତେ ନର
ସାମ୍ୟବାଦର ଶଙ୍ଖ ଗର୍ଜି ଉଠୁ
ଧରା ହେଉ ଅଗ୍ରସର
ଶାନ୍ତି ମୈତ୍ରୀ ଧ୍ବଜା ଉଡିବ
ପ୍ରେମ ପ୍ରୀତି ବାରି ଝରିପଡୁ ସଦା
ଧୋଇଦେଉ ତମ ଗୋଡ ।