ବନ୍ଧୁତା
ବନ୍ଧୁତା
ବନ୍ଧୁତା ବନ୍ଧନ ଅତୁଟ ଅମ୍ଳାନ ତ୍ୟାଗ ମମତାରେ ଭରା
ମକରନ୍ଦ ଝରେ ଅବିରତ ଧାରେ ଭାବ ପୁଲକ ଅସରା।
ସୋହାଗର ଭାବ କରେନା ଅଭାବ ତୋଳେ ସମ୍ପର୍କ କୋଣାର୍କ
ଦ୍ଵନ୍ଦ ବାଧା ବିଘ୍ନ ହୁଅଇ ମଳିନ ଜୀବନ ହୁଏନି ନର୍କ।
ମନ ହୃଦୟର ମିଳନ ଅପାର ସଂଶୟ ନଥାଏ କେବେ
ବୃହତ୍ ବା କ୍ଷୁଦ୍ର କରେନା ପ୍ରଭେଦ ନଥାଏ ବି ଖାଦ୍ ଲବେ।
ଅଗାଧ ବିଶ୍ୱାସ ବନ୍ଧୁତାର ଶୀର୍ଷ ଭରସାର ମାପକାଠି
ବୈରାଗ୍ୟ ନୈରାଶ୍ୟ ହୋଇଯାଏ ଶେଷ ଭରେ ଅନ୍ତରର କୋଠି।
ଏକ ମନ ମୁହଁ ନଥାଏ ସନ୍ଦେହ ନିର୍ଭୀକତା ଜାଗେ ପ୍ରାଣେ
ସଂହତି ସଦ୍ଭାବ ହୁଅଇ ଉଦ୍ଭବ ବନ୍ଧୁ ପାଇଁ ପ୍ରତି କ୍ଷଣେ।
ବିପଦ ଆପଦେ କଳୁଷ କବନ୍ଧେ ଛାଇ ସମ ରହେ ପାର୍ଥ
ଜୀବନରେ ସିଝେ ଦୁଃଖ ସୁଖେ ଭିଜେ ଜଳାଞ୍ଜଳି ଦେଇ ସ୍ୱାର୍ଥ।
ନାରାୟଣ ଦାନ ବନ୍ଧୁତ୍ୱ ସୋପାନ ସୁଦାମା ଶ୍ରୀକୃଷ୍ଣ ସମ
କାଳ କାଳ ପାଇଁ ଯଶ କିର୍ତ୍ତୀ ଗାଇ ଉଡେ ଧ୍ବଜା ଅବିରାମ।