ଶ୍ରଦ୍ଧା ଓ ବିଶ୍ୱାସ
ଶ୍ରଦ୍ଧା ଓ ବିଶ୍ୱାସ
ଶରଧା ବିଶ୍ୱାସ ଭାବ ଦିବ୍ୟ ରସ
ମାନବର ଅବିଚ୍ଛଦ୍ୟ ଗୁଣ
ସ୍ନେହ ଅନୁରାଗ ଶ୍ରଦ୍ଧା କରେ ଠାବ
ଅତ୍ମୀୟତା ଗୂଢ ଉପାଦାନ ।
ତ୍ରିଗୁଣ ବନ୍ଧନ ଶ୍ରଦ୍ଧାର ସୁମନ
ସତ୍ତ୍ଵ ରଜ ତମ ଆଧାରରେ
ମନୁଷ୍ୟ ବିଶ୍ୱାସ ଶ୍ରଦ୍ଧାର ନିଶ୍ୱାସ
ଫୁଟେ ଜୀବନର ପ୍ରତି ଧାରେ ।
ଭାବର ସ୍ଫୁରଣ ବିରୁଦ୍ଧାଚରଣ
ଅବା ଆହତ ହୁଏନି କେବେ
ବିଶ୍ୱାସ ବୋଲିଣ କୁହନ୍ତି ସୁଜନ
ଭାଙ୍ଗି ଯାଏ ନାହିଁ କେବେ ଭବେ।
ଗଭୀର ବିଶ୍ୱାସ ସୁରୁଜେ ଉତ୍କର୍ଷ
ସଫଳତା ମିକେ ଏ ଜୀବନେ
ଅଧୈର୍ଯ୍ୟ ବିରକ୍ତି ଅହଙ୍କାର ଯୁକ୍ତି
ଭାଙ୍ଗେ ବିଶ୍ୱାସ ପ୍ରତି ସୋପାନେ ।
ବିଶ୍ୱାସର ବିନା ଶ୍ରୀହରି ମିଳେନା
ତରକେ ଯାଆନ୍ତି ବହୁଦୁର
ଅବସାଦ ଆସେ ଅବିଶ୍ୱାସ ବଶେ
ପ୍ରାଣ ହୁଅଇ ଜଡ ନିଥର ।
ବିଶ୍ୱାସ ପ୍ରତିଷ୍ଠା ଗାଢ଼ କରେ ନିଷ୍ଠା
ଭାବ ବୋଧ ଜ୍ଞାନ ହୁଏ ଟାଣ
ବୁଦ୍ଧିର ପ୍ରୟୋଗ ଆଣଇ ଦୁର୍ଯୋଗ
ବିଶ୍ୱାସର ଗଣ୍ଡି ହୁଏ କ୍ଷୀଣ ।
ଅନୁଭୂତି ହୀନ ଅବିଶ୍ୱାସୀ ଜନ
ଜ୍ଞାନୀ ଗଣରେ ହୁଏନି ଗଣା
ଜ୍ଞାନେ ପ୍ରଗାଢତା ବିଶ୍ୱାସେ ଦୃଢତା
ହୁଏ ନାହିଁ କେବେ ବାଟବଣା ।
ଅଗାଧ ବିଶ୍ୱାସ କରିଦିଏ ଦାସ
ସାଲବେଗ ଦାସିଆର ସମ
ବିରୁଦ୍ଧର ଭାବ ହୁଏନି ଉଦ୍ଭବ
ମନ ପ୍ରାଣ ଗାଏ ପ୍ରଭୁ ନାମ ।
ବିଶ୍ୱାସର କ୍ଷେତ୍ର ଅତ୍ୟନ୍ତ ପବିତ୍ର
ଯହିଁ ଅମୃତ ବୃକ୍ଷ ଜନମେ
ଦୁର୍ଦ୍ଦଶା ଦୁର୍ଗତି ଲଭେ ଅଧୋଗତି
ଆଶା ଭରସା ଜାଗେ କରମେ ।
ଶ୍ରଦ୍ଧା ଓ ବିଶ୍ୱାସ ମୁଦ୍ରା ଦୁଇ ପାର୍ଶ୍ଵ
ଗୋଟିଏ ଆସିଲେ ଅନ୍ୟ ଆସେ
ରଖ ହେ ବିଶ୍ୱାସ ଶ୍ରଦ୍ଧା କରି ଚାଷ
କୃପାର ବାରି ଝରେ ହରଷେ ।