ଯେପରି କେଦାର ଗୌରୀ
ଯେପରି କେଦାର ଗୌରୀ


ପରାଣ ପ୍ରଜ୍ବଳେ
ଯାତନା ଅନଳେ
ତନୁ ମନ ପଡେ ଫିକା
ହରଷ ଉଲ୍ଲାସ
ପାଲଟିଛି ବିଷ
ସବୁ ଲାଗେ ଫାଙ୍କା ଫାଙ୍କା ।(୧)
ଅଶ୍ରୁତ ଅପୂର୍ବ
ଘଟଣାର ବେଗ
ସଜେଇଛି ବାଟବଣା
କ୍ଷଣପ୍ରଭା ସାଜି
ତୁମେ ଗଲ ହଜି
ଶୂନ୍ୟ ହୃଦୟ ଅଗଣା ।(୨)
ନୟନ ଯୁଗଳ
ଲୋତକ ଶ୍ରାବଣ
ଝରୁଅଛି ଅବିରତ
ଅନ୍ତର ନିଦାଘ
ଶୁଷ୍କ ଅନୁରାଗ
ଜୀବନ ଜିଇଁବା ଲୁପ୍ତ।(୩)
ତପ୍ତ ବୈତରଣୀ
ଅତିକ୍ରମେ ପୁଣି
ଦ୍ଵନ୍ଦ ବାଧା ବିଘ୍ନ କେତେ
ସମ୍ପର୍କ ସୋହାଗ
ମମତା ଆବେଗ
କାନ୍ଦୁଛି ଉଜୁଡା କ୍ଷେତେ ।(୪)
ଜୀବନ ପରିଧି
ଅବାଂଛିତ ନିଧି
ଅପବାଦ ଅଵଶୋଷେ
ସେନେହର ଝର
ନିରବ ନିଥର
ପ୍ରଣୟ ଝାଞ୍ଜିର ତ୍ର।ସେ (୫)
ନୁହେଁ ପ୍ରତାରଣା
ମିଥ୍ୟା ଛଳନା
ଅବା ମିଥ୍ୟା ପ୍ରତିଶ୍ରୁତି
ବିଶ୍ୱାସ ଭରସା
ତାଡନାରେ ଭିଜା
ଦିଗହରା ପ୍ରୀତି ଗୀତି।(୬)
ପ୍ରେମର ବନ୍ଧନ
ଅତୁଟ ଅମ୍ଳାନ
କେବେ ଛିଡିବନି ଡୋରୀ
ମୁକ୍ତ ସ୍ୱାର୍ଥରିକ୍ତ
ନିଷ୍କଳଙ୍କ ପୁତ
ଯେପରି କେଦାର ଗୌରୀ ।(୭)