ମାଆ-ନାରୀର ଏକ ରୂପ
ମାଆ-ନାରୀର ଏକ ରୂପ
କେହି ଡାକେ ତାକୁ ମମି ମମି ବୋଲି
ବୋଉ ଡାକେ ତାକୁ କେହି।
ତମେ ଯେତେ ଯାହା ଡାକ ଭଳି କି ଭଳି
ମାଆ ପରା ଆମ ସେହି।।
ତା'ର ଭଳି କେହି ଜଗତରେ ନାହିଁ
ମମତାମୟୀ ଅଟଇ।
ମମତାର ମୂଲ ଦେଇ ନ ପାରିବ
ପ୍ରାଣ ବି ଗଲେ ପଳାଇ।।
ତ୍ୟାଗର ମନ୍ଦିର କରୁଣା ସାଗର
ସୀମା ହୀନ ତାର ସ୍ନେହ।
ସକାଳରୁ ସଂଜ କରୁଥାଏ କାର୍ଯ୍ୟ
ଅବଶ ହେଲେ ବି ଦେହ।।
ଲୁହକୁ ନିଗାଡି ଘରକୁ ସଜାଡେ
ନିଜକୁ ସଜାଇ ବାଡ।
ମୁଣ୍ଡ ନ ନୁଆଁଇ ନ ଭାଙ୍ଗି ସେ ପଡେ
ଆସିଲେ ସୁଦ୍ଧା ଯେ ଝଡ।।
ସ୍ୱାମୀ କି ଦିଅର ଯାଆ ଦେଢଶୁର
ସଭିଁଙ୍କୁ ଦିଏ ମନେଇ।
ସମସ୍ତଙ୍କୁ ଭାବେ ସମାନ ପ୍ରକାର
ଛଳନା ତା ପାଖେ ନାହିଁ।।
ସର୍ବଂସହା ବୋଲି ନିଜେ ସହିଯାଏ
ସମ ଭାବି ଦୁଃଖ ସୁଖ।
ପକେଇ ଦିଏନି ଘରର ମର୍ଯ୍ୟଦା
ରଖଇ ଅନେକ ଟେକ।।
ଥିଲା ସେ ଭଗିନୀ ତାପରେ ଯେ ଜାୟା
ତାପରେ ହେଲା ଜନନୀ।
ନାରୀର ଏ ଶେଷ ରୂପଟି ସରସ
କାଟଇ କାଳ ରଜନୀ।।
ନରେନ୍ଦ୍ର ସାହୁ
