STORYMIRROR

Narendra Sahu

Others

3  

Narendra Sahu

Others

ହେ ସ୍ୱପ୍ନ ! ତୁମେ କେବେ ଆସ

ହେ ସ୍ୱପ୍ନ ! ତୁମେ କେବେ ଆସ

1 min
5.3K


ହେ ସ୍ୱପ୍ନ ! ତୁମେ କେବେ ଆସ

***********************

ତୁମେ କେବେ ଆସ ନାୟିକାକୁ ନେଇ

ହୃଦୟରେ ଭରି ପ୍ରେମ,

ରୂପସୀ ରୂପରେ ବିମୋହିତ କର

ମନରେ ଭରିଣ କାମ।


ତୁମେ କେବେ ଆସ ରାଜାର ରୂପରେ

କଳା ସାମ୍ରାଜ୍ଯର ପାଇଁ,

କ୍ଷଣିକ ସ୍ୱପ୍ନରେ ଭାବ ବୁଣିଦେଇ

ନିମିଷେ ଯାଅ ଉଭେଇ।


ତୁମେ ପୁଣି ଆସ ଆଶାୟୀ ରୂପରେ

ଅପହଞ୍ଚ ଦ୍ରବ୍ଯ ପାଇଁ,

ସେହି କ୍ଷଣି ପାଇଁ ଆଧିପତ୍ଯ ଡୋରେ

ଇନ୍ଦ୍ର ଚନ୍ଦ୍ର ମାନ ନାହିଁ।


ତୁମେ ଆସ କେବେ କୁଆଁରୀ ଜୀବନେ

ରାଜ କୁମାରଟି ହୋଇ,

ତାର ପ୍ରତି ଭାବେ ସ୍ପର୍ଶ କରେ ଯେବେ

ତନୁ ଯାଏ ଶିହରଇ।


ତୁମେ ପୁଣି କେବେ ଅନ୍ଧର ଜୀବନେ

ଆଲୋକର ଆଶାବାଡି,

ସ୍ୱପ୍ନର ରାତିରେ ଅନ୍ଧ ଦେଖିପାରେ

ସୌନ୍ଦର୍ଯ୍ଯର ମାୟା ଶିଡି।


ଆଉ କେବେ ପୁଣି ତୁମେ ନେଇ ଆସ

ଧନୀକର ଲାଳସାରେ,

ଶହ-ଶହ ଟଙ୍କା ଗହ-ଗହ ସୁନା

ମିଛ ମାୟା ନଗରରେ।


ତୁମେ ପୁଣି ଆସ ବନ୍ଧ୍ଯାର ଆଖିରେ

ଛୋଟ ଶିଶୁଟିଏ ନେଇ,

ସେ ସ୍ୱପ୍ନରେ ସିଏ ନିଜେ ବଞ୍ଚି ନିଏ

ଆସନ୍ତା କାଲିର ପାଇଁ।


ହେ ସ୍ୱପ୍ନ ଜାଲକ ସମସ୍ତେ ତୁମକୁ

ଆପଣାର ଭାବିନେଇ,

ପ୍ରତିଟି ମୂହୁର୍ତ୍ତ କାଟିଣ ଜୀବିତ

ତୁମ ଆଶ୍ୱାସନା ପାଇ।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍