ପିପାସା
ପିପାସା
ହେମ ସମ ପ୍ରେମ ତମ ପରଶିଦିଅ ଅଙ୍ଗେ
ତୁମପରି ସ୍ୱର୍ଗପରୀ ନାହାନ୍ତି କଳିଙ୍ଗେ ।
ଲାବଣ୍ୟତା ଯଉବନ ଉଛୁଳେ ତରଙ୍ଗେ
ବସନ୍ତର ଅଭିସାର ସଜେଇଛ ରଙ୍ଗେ ॥
ହୃଦୟ କମଳ ଫୁଟି ଢଳ ଢଳ ଆଜି
ପୀରତି ସମୀର ବହେ ସର୍ବାଙ୍ଗକୁ ବାଜି ।
ମୋହି ନେଲ ବାନ୍ଧବୀ ଗୋ ବନ୍ଧୁଟିଏ ସାଜି
ଭାବନାରେ ଭାବୁଭାବୁ ହେଲ ଯେବେ ରାଜି ॥
ସ୍ୱର୍ଗୀୟ ଆନନ୍ଦ ପ୍ରିୟେ ମିଳନ ଗୋ ତବ
ମଂଜୁଳ ପରଶେ ଲାଗେ ତୁଚ୍ଛ ଏଇ ଭବ।
ତୁମରି ବିହୁନେ ମମ ସ୍ନେହ,ପ୍ରେମ ଶବ
ହିଆ ହୁଏ ଆନ୍ଦୋଳିତ ଶୁଭେ କଟୁ ରବ ॥
ଲକ୍ଷଲକ୍ଷ ବାଞ୍ଛିତ ମୋ ହୋଇବ ପୂରଣ
ସଖି,ସୁଖେ କଥା ପଦେ କଲେ ଉଚ୍ଚାରଣ ।
ସପନେ ଅବା ଗୋପନେ କର ବିଚରଣ
ପ୍ରତୀକ୍ଷାରେ ପ୍ରତୀକ୍ଷିତ ଆଜି ମୋ ମରଣ ॥
କହୁକହୁ କହିଦେଲି ସବୁ ଚିତ୍ତ ଭାଷା
ମରୁ ସମ ହୃଦୟ ମୋ ଶୁଷ୍କ ଶୁଷ୍କ ଆଶା ।
ଆସ ନେଇ ପ୍ରୀତି ବାରି ପ୍ରେୟସୀ ସହସା
ପିପାସା ମୋ ପୂର୍ଣ୍ଣ ହେଉ ତୁଟୁ ମନ ତୃଷା ॥
ଶରତ ଚନ୍ଦ୍ର ଜାଲି,ପଥରା
ତା:୨୬/୪/୨୦୧୮