ଗ୍ରୀଷ୍ମ ଫଳ ତାଳସଜ
ଗ୍ରୀଷ୍ମ ଫଳ ତାଳସଜ
ଗ୍ରୀଷ୍ମ ଫଳ ତାଳସଜ
============
ଫଳ ସହ ଜଳ ଆଉ
କାହିଁ ଯାଇ ଖୋଜ ।
ଆସି ଗଲା ଆସିଗଲା
ସଜ ତାଳ ସଜ ।।
କଷି ତାଳ ଗୋଟମାରେ
ତିନି ଗୋଟି ଫଳ ।
ଧଳା ଧଳା ଅଣ୍ଡା ଭଳି ସବୁ
ଗୋଲ ଗାଲ ।।
ଫଳ ଭିତରେ ରହିଛି
ମିଠା ଥଣ୍ଡା ପାଣି ।
ପ୍ରକୃତି ଯୋଗାଇ ଅଛି
ଗ୍ରୀଷ୍ମକାଳ ଜାଣି ।।
ଆସ ଆସ ଆସ ଭାଇ
ତାଳ ସଜ ଖାଅ ।
ଗୃହିଣୀ ପିଲା ଛୁଆଙ୍କ
ପାଇଁ ଘେନିଯାଅ ।।
ଭାରି ଉପକାରୀ ଏହି
ତାଳ ସଜ ରସ ।
ଛଡ଼ାଇ ଖାଇବ ଚୋପା
ଭିତରେ ତା ସସ ।।
ପାଚିଗଲେ ତାଳ ସବୁ
ପଡ଼େ ଦୁମ୍ ଦାମ ।
କଳା ହାଣ୍ଡିଆ ତାଳର
ଭାରି ଅଟେ ନାମ ।।
ଆଷାଢରେ ପକ୍ବ ତାଳେ
ହୁଏ ତାଳ ପିଠା ।
ତାଳ ସୁଆଁରି ଜାଣିବ
ଲାଗେ ଭାରି ମିଠା ।।
ପକ୍ବତାଳେ ତାଳସଜ
ମଂଜି ହୋଇ ଥାଇ ।
ସୁଆଦିଆ ତାଳଗଜା
ଖାଇଥିବ ଭାଇ ।।
ପୁରାଣରେ ଶୁଣିଅଛି
ପ୍ରଭୁ ନୀଳାମ୍ବର ।
ତାଳବଣେ ବଧିଥିଲେ
ଧେନୁକା ଅସୁର ।।
ଏଣୁ ନାମ ବହିଚ୍ଛନ୍ତି
ପ୍ରଭୁ ଧେନୁକାରୀ ।
ତାଳଧ୍ୱଜ ରଥ ତାଙ୍କ
ଲୀଳାମୟ ହରି ।।
ଜ୍ୟେଷ୍ଟ ଅମାବାସ୍ୟା ଓଷା
ସାଵିତ୍ରୀ ପଡ଼ଇ ।
ତାଳସଜ ଲୋଡ଼ାହୁଏ
ନବ ଫଳେ ଭାଇ ।।
ବୃନ୍ଦାବନେ ପକ୍ବତାଳ
ଖାଇ ବ୍ରଜ ବାଳ ।
ରାମ କୃଷ୍ଣଙ୍କ ସଙ୍ଗରେ
ଖେଳୁଥିଲେ ଖେଳ ।।
ଆସୁ ଅଛି ଆସୁ ଅଛି
ଆସୁ ଅଛି ରଜ ।
ଅମ୍ଭ ପଣସ କିଣିବ
ସଙ୍ଗେ ତାଳସଜ।।
ଆଉ ତାଳସଜ କଥା
କହିବି ଯେ କିସ ।
ସଜ ଖାଇ ହସ ଭାଇ
ମୁଚୁକୁନ୍ଦ ହସ ।।
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
