ଶ୍ରୀକୃଷ୍ଣ କର୍ଣ୍ଣାମୃତ
ଶ୍ରୀକୃଷ୍ଣ କର୍ଣ୍ଣାମୃତ
କସ୍ତୁରୀ ତିଳକ ଲଲାଟ ପଟଳେ
ବକ୍ଷେ କୋଉସ୍ତୁଭ ମଣି
କରରେ କଙ୍କଣ ବେଣୁହସ୍ତେ ଶୋଭା
ନାସାଗ୍ରେ ମୁକ୍ତା ବସଣି l
ହରି ଚନ୍ଦନକୁ ସର୍ବାଙ୍ଗରେ ବୋଳି
କଣ୍ଠ ଶୋଭା ମୁକ୍ତାବଳି
ଶ୍ରୀଗୋପାଳ ଚୁଡ଼ାମଣି ମଧ୍ୟେ ବିଜେ
ବେଢ଼ିଛନ୍ତି ଗୋପ ବାଳି l
ମଧୁରେ ବାଜଇ ମୋହନ ମୁରଲୀ
ଗୋପୀଗଣ ହୋଇ ବୃନ୍ଦ
ରାସବିନୋଦରେ ରସ ବିନୋଦିଆ
ସ୍ୱର୍ଗେ ଦେଖନ୍ତି ବିବୁଧ l
ଆନନ୍ଦେ ମଗନ ଗୋପ ବୃନ୍ଦାବନ
ଯମୁନା ବହେ ଉଜାଣି
ତାରାବଳୀ କିବା ବେଢ଼ି ରହିଛନ୍ତି
ମଧ୍ୟେ ବିଜେ ନିଶାମଣି l
ଜଗତ ଆନନ୍ଦ ଜଗଦାନନ୍ଦଙ୍କ
ଲୀଳା ବିଲୋକନ କରି
ଦୁନ୍ଦୁଭି ବାଜଇ ଡିବି ଡିବି ହୋଇ
ସ୍ୱର୍ଗେ ନାଚନ୍ତି ଅପ୍ସରୀ l
ମଧୁ ନିଶି ବ୍ରହ୍ମ ଯାମ ପରକାଶି
ନଭେ ଉଦେ ପୂର୍ଣ୍ଣ ଚାନ୍ଦ
ବାରେ ଦୟାକର ବୃନ୍ଦାବନ ଚନ୍ଦ୍ର
ଧ୍ୟାୟେ ଶ୍ରୀରାଧା ଗୋବିନ୍ଦ l
ହେ ଲୀଳା ବିଧୃତ କଳେବର ଧୃତ
ତୁମ୍ଭ ଲୀଳାମୃତ ବାଣୀ
କର୍ଣ୍ଣେ କର୍ଣ୍ଣାମୃତ ହୃଦୟେ ଝଙ୍କୃତ
ହେଉଥାଉ ବେଣୁପାଣି l
