STORYMIRROR

samhita jena

Inspirational

4  

samhita jena

Inspirational

ଭଗ୍ନ କୋଣାର୍କ

ଭଗ୍ନ କୋଣାର୍କ

1 min
1.0K


ବାରଶ ବଢ଼େଇ ଚନ୍ଦ୍ରଭାଗା କୂଳେ

    ପଥର ଖଞ୍ଜିଲେ ଯାଇ

ନରସିଂହଦେଵ କଳ୍ପନାର ରଥ

     ବାସ୍ତବେ ଦେଲେ ଗଢ଼ାଇ।


ସୂର୍ଯ୍ୟ ରଥ ପରି ଗଢିଲେ ମନ୍ଦିର

    ସୂର୍ଯ୍ୟଦେଵ ପୂଜା ପାଇଁ

ଉଦୟ ସୂର୍ଯ୍ୟଙ୍କ ପ୍ରଥମ କିରଣ

     ମନ୍ଦିରରେ ପଡେ ଯାଇ।


କୃଷ୍ଣ ପୁତ୍ର ଶାମ୍ବ କରି ସୂର୍ଯ୍ୟ ପୂଜା

    ହୋଇଥିଲେ ଶାପ ମୁକ୍ତ

ଦୋଳାୟମାନ ଯେ ସୂର୍ଯ୍ୟଙ୍କ ପ୍ରତିମା

    ନାମ ବହେ ଅର୍କ କ୍ଷେତ୍ର।


ବାର ଚକ ବାର ମାସର ପ୍ରତୀକ

   ସାତ ବାର ସାତ ଘୋଡା

ଧନ ଦଉଲତ ଗର୍ବ ଭାଙ୍ଗିବାକୁ

   ଦ୍ୱାର ଦେଶେ ସିଂହ ଛିଡା।


ସବୁଜିମା ଘେରା କୋଣାର୍କ ମନ୍ଦିର

   ଅତୁଳନୀୟ ଉପମା

ପ୍ରଭାତର ଆଭା କେଡେ ମନ ଲୋଭା

   ପ୍ରକାଶିଲେ ଅରୁଣୀମା।


ବାର ବର୍ଷ କାଳ ନିହାଣ ମୁନରେ

   କଲେ ବହୁ କଳା କୃତି

ସ୍ଥାପି ପାରିଲେନି ମନ୍ଦିର ବେଢାରେ

    ଚୁମ୍ବକ ଦଧି ନଉତି।


କଳା ଓ ସଂସ୍କୃତି ଭାସ୍କର୍ଯ୍ୟ ସ୍ଥପତି

   ସବୁ ହୋଇଗଲା ଗଢ଼ା

ଶିଳ୍ପୀକୂଳଙ୍କର ଭାଳେଣି ପଡିଲା

   ଅଧା ରହିଗଲା ଚୂଡ଼ା।


ଧରମା ଆସିଲା ଚନ୍ଦ୍ରଭାଗା କୂଳେ

   ପିତାଙ୍କୁ ଦେଖିବା ଆଶେ

ଦେଖେ ଶିଳ୍ପୀ କୂଳ ଚିନ୍ତାମଗ୍ନ ହୋଇ

    ବସିଛନ୍ତି ରାତ୍ରୀ ଶେଷେ।


ମନ୍ଦିରେ ଚଢ଼ିଲା ମୁଣ୍ଡି ସେ ମାରିଲା

    ଶିଳ୍ପୀକୂଳ ଥର ହର

ରାଜା ଯଦି ଜାଣି ଯାଆନ୍ତି ଏ କଥା

    ଶୀର ଛେଦିବେ ଆମର।


ବାର ବରଷର ବିନ୍ଧାଣୀ ବାଳକ

    ପିତାଙ୍କୁ ଦେଲା ବୁଝାଇ

ଗୋଟିଏ ଜୀବନ ଶିଳ୍ପୀକୂଳ ପ୍ରାଣ

    ଗୌରବ ଏ ଜାତି ପାଇଁ।


ତମେ ଥିଲେ ସିନା ଗଢ଼ିବ ଦେଶରେ

    ଶତ ଶତ କୋଣାରକ

ଲୁହ ପୋଛିଦେଇ ପିତାଙ୍କୁ ବୁଝେଇ

    ସମୁଦ୍ରେ ମାରିଲା ଲମ୍ଫ।


ସ୍ୱପ୍ନର ସଉଧ କୋଣାର୍କ ମନ୍ଦିର

    ବିଶ୍ବ ଆକର୍ଷିତ କରେ

ଓଡ଼ିଶାର କଳା ନୃତ୍ୟ କାରିଗରୀ

     ଖୋଦା ମନ୍ଦିର ଗାତ୍ରରେ।


ଦଧି ନଉତିଟି ମନ୍ଦିର ଚୁଡାରେ

    ଭାଙ୍ଗିଲା ସବୁ ଜାହାଜ

କଉଶଳ କରି ଲୁଣ୍ଠନ କରିଲେ

    ପର୍ତ୍ତୁଗୀଜର ନାବିକ।


ନୈଷ୍ଠୀକ ବ୍ରାହ୍ମଣ କଳା ପାହାଡ଼ ବି

    ଭାଙ୍ଗିଲା ଅନେକ ମୂର୍ତ୍ତି

ଦୁର୍ବଳ ହୋଇଲା ମୁଖ୍ୟ ମନ୍ଦିରଟି

    ଯିବାରୁ ଦଧିନଉତି।


ପିତାର ହୃଦୟ କାରିଗର କୂଳ

   କୋଣାର୍କର ଭଗ୍ନ ସ୍ତୁପେ

ନିଜକୁ ଧିକାରୀ ଧରମାକୁ ସ୍ମରି

   ମାତା ବି ବିଳପୀ ଉଠେ।


କର୍ମ କୁଶଳତା ଧରମାର କଥା

   ଚନ୍ଦ୍ରଭାଗା ସାକ୍ଷୀ ଅଛି

ପଥର ଯାହାର ଇତିହାସ କହେ

   ଭଗ୍ନ ସ୍ତୁପ ପାଲଟିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational