ଜୀବନ ଯମୁନା
ଜୀବନ ଯମୁନା
ଭୂକମ୍ପର ନିଷ୍ଠୁର ପ୍ରଭାବ
ମାଟି ତଳେ କୁଢ଼ କୁଢ଼ ଶବ ।
ଜୀବନ ଖୋଜୁଥାଏ ମୃତ୍ୟୁ
ଏକାକାର ମିତ୍ର ଆଉ ଶତ୍ରୁ।
ଦୁନିଆର ରଙ୍ଗମଞ୍ଚ ଶୂନ୍ୟ
ମାଟି ତଳେ କଅଁଳ ଜୀବନ ।
ଅଚିହ୍ନା ଅଜଣା ତା' ମୁହଁ
ଖୋଜୁଛି ସେ ମାଆର ସ୍ନେହ।
କିଏ ତାକୁ ଖୋଜି ଆଣି ଦେବ
ସତେ କି ସେ ହଜିଲା ଦରବ ।
ଏଇ ବୋଧେ "ଜୀବନ ଯମୁନା"
ଥଳକୁଳ ମାନେ ନାହିଁ ଜମା।
କେତେବେଳେ ବହେ ସେ ଉଜାଣି
କୂଳ ଲଂଘେ ଯମୁନାର ପାଣି ।
ପ୍ରବାହରେ ଧୋଇ ନିଏ ପାପ
ଦେଖାଏ ସେ ପୂଣ୍ୟର ସ୍ୱରୂପ ।
ଏ ଜୀବନ ଯମୁନାର କୂଳେ
ବସି କେବେ କଦମ୍ବର ଡାଳେ ।
ସାତସୁରେ ବନ୍ଧା ଏ ଜୀବନ
ସୁମଧୁର ବଇଁଶୀର ଶ୍ଵନ ।
ଗାଉଥାଏ ମଧୁର ରାଗିଣୀ
ମତୁଆଲା ମନ ନିଏ କିଣି ।
ଫୁଟେ ସେଠି ନାଲି କୃଷ୍ଣଚୂଡ଼ା
ମନ ବାସେ ଅବଢ଼ା ଅବଢ଼ା ।
ପାରି ହେବ ଜୀବନ ଯମୁନା
କରଇ ସେ ଭକ୍ତି ଆରାଧନା ।
ପ୍ରୀତି ରଙ୍ଗେ ଦୁନିଆ ସଜାଏ
ମନକୁ ସେ ମାୟାରେ ହଜାଏ ।
ବାଟ ହୁଡ଼ି ଚାଲେ ସେ ଅବାଟେ
ଚାଲୁ ଚାଲୁ ପାପ ସେ ସାଉଁଟେ ।
ସେ ପାପର ରଙ୍ଗ ଟା ପ୍ରଳୟ
ଯମୁନାରେ ସୁନାମିର ଭୟ ।
ସେ ଭୟରେ ଥରେ ଏ ଦୁନିଆଁ
ଏଇ ବୋଧେ "ଜୀବନ ଯମୁନା"।