STORYMIRROR

samhita jena

Others

4  

samhita jena

Others

ରଜ ମଉଜ

ରଜ ମଉଜ

1 min
303

ଆଦ୍ୟ ଆଷାଢ଼ର ଗଣପର୍ବ "ରଜ"

ମୁଖରିତ ପୁର ପଲ୍ଲୀ

କୋଳାହଳମୟ ଗାଆଁ ତୋଟା ମାଳ

କୁମାରୀ ଖେଳନ୍ତି ଦୋଳି।(୧)


ପିଠାପଣା ଖିଆ ପାନ ଦିଆନିଆ

ହୋଇ କେତେ ସଜବାଜ

କୁମାରୀଏ ମିଳି ଖେଳି ରଜ ଦୋଳି

କରନ୍ତି କେତେ ମଉଜ।(୨)


ମଥାରେ ଚନ୍ଦନ ପାଦରେ ଅଳତା

ନୂଆ ଜାମାପଟା ପିନ୍ଧି

କେତେ ରଙ୍ଗେ ସଜ ହୁଅନ୍ତି କୁମାରୀ

ଗଭା ବି ସଜାନ୍ତି ବାନ୍ଧି।(୩)


କୁମାରୀଙ୍କ ପାଇଁ ରଜ ହେଁସ ପଡେ

ହୁଅନ୍ତି ସେଇଠି ସଜ

ମୁଢି-ନଡ଼ିଆ ଓ ପୋଡ଼ପିଠା ଖାଇ

କରନ୍ତି ବଡ଼ ମଉଜ।(୪)


ବାଉଁଶ ଦୋଳିରେ ଖେଳନ୍ତି କୁମାରୀ

ସାଙ୍ଗ ସାଥୀ ହୋଇ ମେଳ

ବାଗୁଡୁ-କବାଡି ବୋହୁ ଚୋରି ସାଥେ

ହେଉଥାଏ ପୁଚି ଖେଳ।(୫)


ହାତରେ ମେହେନ୍ଦି ଆଖିରେ କଜ୍ଜଳ

ଓଠେ ଲିପିଷ୍ଟିକ ନାହି

ସଜ ବାଜ ଦିନ ସାଜ ସଜାଡ଼ନ୍ତି

ରଜ ତ ପାଳିବା ପାଇଁ ।(୬)


ପ୍ରଥମ ଦିନଟି ପହିଲି ରଜ ଲୋ

ସଂକ୍ରାନ୍ତିଟି ଦ୍ଵିତୀୟରେ

ଭୂଦାହ ପାଳନ ତୃତୀୟ ଦିନଟି

ପାଦ ପଡେନି ଭୁଇଁରେ।(୭)


ଧରିତ୍ରୀ ହୁଅଇ ରଜସ୍ଵଳା ବୋଲି

କୁମାରୀ ପାଳନ୍ତି ରଜ

ଅଗାଧୁଆ ରହି ତିନିଦିନଯାକ

ଖାଲି ହେଉଥାନ୍ତି ସଜ।(୮)


ଶେଷରେ ହୁଅଇ ବସୁମାତା ସ୍ନାନ

ମେଥି ହଳଦୀ ପାଣିରେ

ସିନ୍ଦୂର-ଚନ୍ଦନ ଫୁଲେ ସଜ ହୋଇ

ବର୍ଷାକୁ ଆହ୍ୱାନ କରେ।(୯)


ସ୍ନାନ ସାରି କରେ ବକ୍ଷକୁ ଶୀତଳ

ଧାରଣ କରିବ ବୀଜ

ଚାଷ କରିବାକୁ ଚଷା ଭାଈ ଆମ

ହେଉଥାନ୍ତି ସଜ ବାଜ।(୧୦)


ବରଷକେ ଥରେ ରଜ ପରବରେ

ପୋଡ଼ପିଠା ମଜା ମିଳେ

ପ୍ରଥମ ଦିନ ଓ ଶେଷ ଦିନ ମିଶି

ରଜ ପାଞ୍ଚ ଦିନ ପଡେ ।(୧୧)


ଲାଗୁନାହିଁ ଆଉ ଆଗ ଭଳି "ରଜ"

ରୀତି ନୀତି ବୁଡ଼ିଲାଣି

ରଜବତୀ ମୁଣ୍ଡେ ଚନ୍ଦନ ଟିପା ବି

ଅଦୃଶ୍ୟ ଏବେ ହେଲାଣି।(୧୨)


ସଭ୍ୟତାରେ ହଜି ଯାଉଛି ସଂସ୍କୃତି

ପିଢ଼ିରୁ ପିଢ଼ି ଅନ୍ତର

ଓଡ଼ିଆ ମାନଙ୍କ ଗର୍ବ ଗଉରବ

ପରମ୍ପରା ଏ ଆମର | (୧୩ )


ସଚେତନ ହେବା ପିଲାଙ୍କୁ କରିବା

ବଞ୍ଚି ରହିବ ସଂସ୍କୃତି

ଆମେ ତ ଓଡ଼ିଆ ଜଗତେ ବଢିଆ

ଆମ ପରମ୍ପରା ନୀତି | (୧୪ )



Rate this content
Log in