STORYMIRROR

Kamalini Panigrahi

Inspirational

3  

Kamalini Panigrahi

Inspirational

ପଞ୍ଚୁକ ପରର ପାପ

ପଞ୍ଚୁକ ପରର ପାପ

1 min
235


ମାସ ଯାକ ଧର୍ମ ପାଳିଲେ ବହୁତ

ଏକ ଦିନେ ପାପ ଅର୍ଜିବେ

ମାଛ ଛେଳି ଆଉ କୁକୁଡ଼ା ମାନଙ୍କୁ

ମାରି ସର୍ବେ ପରେ ଗିଳିବେ।।

ମାଛ କହେ ଜଳେ ଆହେ ନାରାୟଣ

ଏ କେମିତିକା ଯେ ବିଚାର

ପଶୁଠାରୁ ହୀନ ପାଲଟି ଯାଇଛି

ମଣିଷ ମାନଙ୍କ ଆଚାର।।

ପଞ୍ଚୁକ ପରରେ ଛାଡ଼ ଖାଇ ବୋଲି

ବଜାରେ ପଡ଼ିଲା ହୁରି

କୁକୁଡ଼ା ଛାଗଳ ମେଣ୍ଢାପଲ ବସି

ଆଖିରୁ ଢ଼ାଳନ୍ତି ବାରି।।

ଛେଳି କହେ ପୁଣି ମାଛ ମୁଁହ ଚାହିଁ

ନାମକୁ ଧର୍ମ ପାଳନ୍ତି

ଏକା ଦିନେ ଶହ ଶହ ପ୍ରାଣୀଙ୍କର

ବଂଶ ବୁଡାଇ ଦିଅନ୍ତି।।

ଛେଳି ପୁଣି କହେ କୁକୁଡ଼ା ସଙ୍ଗାତ

ରହିବନି ତୁମ ପର

ଧାରୁଆ ଛୁରୀରେ ମୋ ଗଳା କାଟିବେ

ବଡ ନିଷ୍ଠୁର ଏ ନର।।

ଜଳେ ମୀନ ରହି ମନେ ଭାଳୁଥାଇ

ଶୁଣି ଆସିଲାଣି ଜର

ତୁମକୁ ଖାଇଲେ ମୋତେ କି ଛାଡ଼ିବେ

ଲାଗିଲାଣି ଭାରି ଡର।।

ଏହା ଶୁଣି ପ୍ରଭୁ ମଉନେ କହିଲେ

କାନ୍ଧୁଛନ୍ତି ପଶୁପକ୍ଷୀ

ମାନବଟି ଆଜି ଦାନବ ସାଜିଛି

ଜଳେ କାମନାର ଆଖି।।

ମାସଯାକ ଧର୍ମ କରି ବଳ ପ୍ରାପ୍ତ

ପାଲଟିଛି ସେ ଅସୁର

ନିରୀହ ଜୀବ ଯେ ମରିବେ ତାହାତେ

ବହିଯିବ ରକ୍ତ ଝର।।

ସୁନ୍ଦର୍ ମୋ ସୃଷ୍ଟି ହେବ ନାରଖାର

ମାନବ ଦାନବ ହାତେ

ମଦ,ମାଂସ ଲୋଭେ ଉନ୍ମତ୍ତ ହୋଇବ

ହଜାଇ ବିବେକ ସତେ।।

ମୋ ସୃଷ୍ଟି ମରତ ଅଶାନ୍ତ ହୋଇବ

କେତେ କ୍ଷତ ସୃଷ୍ଟିହେବ

ପଶୁପକ୍ଷୀଙ୍କର ତତଲା ନିଃଶ୍ୱାସେ

ପରିବେଶ ଧ୍ଵଂସହେବ।।

ସର୍ବପ୍ରାଣୀ ମଧ୍ୟେ ନର ଶ୍ରେଷ୍ଠ କଲି

ଏବେ ମୁଁ ଭାଳି ହେଉଛି

ଛାଡଖାଇ,ନୂଆବର୍ଷ, ରଜନାମେ

ଜୀବଙ୍କୁ ମାରି ଖାଉଛି ।।

ଛାଡଖାଇ ଅର୍ଥ ଅଲଗାଟି ପରା

ମଣିଷ କାହୁଁ ବା ବୁଝିବ

ଜାଣ ଅଜାଣନ୍ତେ ଜୀବହତ୍ୟା କରି  

ଲକ୍ଷେଜନ୍ମ ପାପ ଅର୍ଜିବ।

ଛାଡଖାଇ ମାନେ ମାଂସଖିଆ ନୁହେଁ

ଇନ୍ଦ୍ରିୟ ସୁଖ ତେଜିବା

ହିଂସା,ଅହଙ୍କାର,ଷଡରିପୁ ଛାଡି

ଆତ୍ମ ସଞ୍ଜମ କରିବା।

ମାସକ ସାତ୍ତ୍ୱିକ ହବିଷ୍ୟ ଆହାର

ପରେ ଛାଡଖାଇ ପାପ

ଧର୍ମ କର୍ମ ସବୁ ପାଣିରେ ପଡ଼ିଲା

ଯାହା କରିଥିବେ ତପ।

ନ ହୋଇ ଆୟତ୍ତ ହେଲେ ଅଣାୟତ୍ତ

ସରିଯିବ ସବୁ ଖେଳ

ନିଜହାତେ ନିଜେ ଭସ୍ମାସୁର ପରି

ନାଶ ହେବ ଆୟୁ ବଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational