STORYMIRROR

Kamalini Panigrahi

Inspirational

4  

Kamalini Panigrahi

Inspirational

ବସନ୍ତ ହସୁଛି ବଉଳ ପାଇଁ

ବସନ୍ତ ହସୁଛି ବଉଳ ପାଇଁ

1 min
22



ବସନ୍ତ ହସୁଛି ବଉଳ ପାଇଁ ଲୋ

କାନେ କାନେ କହେ ଆଜି

ପ୍ରକୃତି ହସୁଛି ପୁଷ୍ପ ସମ୍ଭାରରେ

ପ୍ରୀତି ମଳୟରେ ଭିଜି।।

ଭ୍ରମର ହସୁଛି ଫୁଲ ରାଣୀ ପାଇଁ

ପୀରତି ରାଗିଣୀ ଗାଇ

ମଧୁଚୋରି ଲାଗି ମତୁଆଲା ହୁଏ 

ପ୍ରତୀକ୍ଷା ବସନ୍ତ ପାଇଁ।।

ହଳଦୀ ବସନ୍ତ ହସୁଛି ରୂପରେ

ନୃତ୍ୟ କରି ନାନାରଙ୍ଗେ

ତା ନୃତ୍ୟ ତାଳରେ ନାଚନ୍ତି କଳିକା

ମୃଦୁ ମଳୟର ସଙ୍ଗେ।।

କାକରଭିଜାରେ ଗାଲିଚା ହସୁଛି

ଶିହରିତ କରି ମନ

ଚମ୍ପକ ବନର ମଧୁର ମହକ

କରୁଛି ସତେ ଉଚ୍ଛନ୍ନ।।

ମଧୁମକ୍ଷୀ ହସେ ପୁଷ୍ପ ସୁଗନ୍ଧରେ

ରଖି ପ୍ରେମ ଅଭିଳାଷ

ପ୍ରସ୍ଫୁଟିତ ପୁଷ୍ପ ଆନମନା ହୁଏ

ପାଇବାକୁ ତା ପରଶ।।

ଦେହ ମନ ପ୍ରାଣ ପୁଲକିତ ଆଜି

ମଳୟର ପରଶରେ

ପଳାଶ ହସୁଛି ବନ ଉପବନେ

ବାସ ଚହଟାଇ ଧୀରେ ।।

ବସନ୍ତ ହସୁଛି ବୋଲି ଧରାପୃଷ୍ଠେ

ଫଗୁଣର ଓଠ ନାଲି

କୃଷ୍ଣ ଚୁଡ଼ା ଫୁଲେ ଫୁଲେ ହସୁଥାଏ

ସଞ୍ଜ ସତେ ଖିଲି ଖିଲି।।

ବାସନ୍ତି ରାତିଟା ହସୁଛି ଆକାଶେ

ତାରା ଫୁଲର ଶେଯରେ

ଘୁମେଇଁ ପଡ଼ିଛି ନୀଳ ଜଳରାଶି

ପ୍ରୀତି ଛୁଆଁର

ଲାଜରେ।।

ନୀଳସରେ ହସେ କମଳ କୁମୁଦ

ପକ୍ଷୀ ସନ୍ତରଣ ପାଇ

ତରଙ୍ଗ ମାଳରେ ମୃଦୁ ସମୀରଣେ

ବିସକୁ ତାର ହଲାଇ।।

ବକୁଳ,ମାଧବୀ,ଚମ୍ପକ,କାଞ୍ଚନ

ହସୁଛନ୍ତି ମହକରେ

ଶିମିଳି ପଳାଶ ହସୁଛି ଲାଜେଇ

ମଳୟର ପରଶରେ।।

ବନପ୍ରିୟ ହସେ ବଉଳ ସୁବାସେ

ମଞ୍ଜୁଳ ବନ କୁଞ୍ଜରେ

ପଞ୍ଚ ରାଗିଣୀରେ ସଙ୍ଗୀତ ଗାଉଛି

ଶାଖାର ଅନ୍ତରାଳରେ।।

ଜିର୍ଣ୍ଣ, ଶିର୍ଣ୍ଣ ମାତା ଧରିତ୍ରୀ ହସୁଛି

ବସନ୍ତ ଆଗମନରେ

ନବ କିଶଳୟେ ମଣ୍ଡିତ ହୋଇବ

ଲଣ୍ଡିତ ବୃକ୍ଷ ରାଜିରେ।।

ଫୁଲେଇ ଫଗୁଣ ମୃଦୁ ହସ ହସେ

ଋତୁରାଜ ବାରତାରେ

ଝରି ପଡ଼ିଲାଣି ମଧୁର ସୁବାସ

ଅବନୀ ଚତୁଃପାର୍ଶ୍ଵରେ।।

ହସୁଛି ଧରଣୀ ହସୁଛି ଅମ୍ବର

ହସୁଛି ଫୁଲ ଫଗୁଣ

ଜହ୍ନମାମୁଁ ହସେ ବାଦଲ ଉହାଡେ

ପାଇ କଇଁ ନିମନ୍ତ୍ରଣ।।

ପହିଲି ବସନ୍ତ ନିଆରା ମଳୟ

ଆଣିଛି ଚୋରା ଚଇତି

ସୋରିଷର କ୍ଷେତ ରୋମାଞ୍ଚିତ କରେ

ମଞ୍ଜୁଳ ଜୋଛନା ରାତି।।

ଦିନ ପରେ ରାତି ଋତୁ ପରେ ଋତୁ

ଆଜି ଅଛି କାଲି ନାହିଁ

ବସନ୍ତ ହସୁଛି ବଉଳ ପାଇଁ କି

ବିଧାତା ସର୍ଜନା ଏହି ।।



Rate this content
Log in

Similar oriya poem from Inspirational