ନିଜ ଦେହ ପାଇଁ ହେବା ବଇଦ
ନିଜ ଦେହ ପାଇଁ ହେବା ବଇଦ


ବୁଝାଇ କହୁଛି ଶୁଣ ହେ ପିଲାଏ
ନିଜ ଦେହ ପାଇଁ ହେବା ବଇଦ
ରୋଗଦୁଃଖ ଯେତେ ଡିଆଁ ମାରୁଥିବେ
ମନରେ ନଥିବ ଟିକିଏ ଖେଦ ।
ଈଶ୍ବର ଆମକୁ ଦେଇଛନ୍ତି ଦେହ
ତା' ମାଧ୍ୟମେ ଭଲ କରିବା ପାଇଁ
ଯତନେ ତାହାକୁ ରଖିଲେ ସଜାଇ
ସିନା ଭଲକାମେ ମନଟି ଥାଇ ।
ଋତୁଚକ୍ରେ ବୁଲି ଦେହ ପାଇଥାଏ
ଭିନ୍ନତା ଭିତରେ ଅଶେଷ କଷ୍ଟ
ତା' ସହିତ ଆମେ ଖାପଖୁଆଇ
ଚଳି ଯାଇଥାନ୍ତି ହୋଇ ସନ୍ତଷ୍ଟ ।
ଗ୍ରୀଷମ ଋତୁଟି ଆସିଲା ପାଖେଇ
ପ୍ରକୃତି କୋଳରେ ଜଳ ଅଭାବ
ଦେହ ପାଇଁ ଜଳ ଅତି ଆବଶ୍ୟକ
ନମିଳିଲେ ରୋଗ ଗ୍ରାସ କରିବ ।
ଗ୍ରୀଷମ ତାତିରେ ଯେଉଁଠିକୁ ଯିବା
ସଙ୍ଗରେ ଧରିବା ପାଣି ବୋତଲ
ଜୋତା ଆଉ ଛତା ଓଦା ଗାମୁଛାଟେ
ତା' ସାଥିରେ ଥିଲେ ହେବଟି ସଲ ।
ଆବଶ୍ୟକବେଳେ ପିଉଥିବା ଜଳ
ବଇଦ ଭାବରେ ହୋଇକି ସଜ
ଛୁଇଁ ପାରିବନି ଅଂଶୁଘାତ ରୋଗ
ଦେହ ସବୁବେଳେ ଥିବ ସତେଜ ।
ଘୋଳଦହି ପୁଣି ଲେମ୍ବୁ ସରବତ
ପ୍ରତି ଘରେ ସଜ ଗ୍ରୀଷମେ ଜାଣ
ଜଳୀୟ ଅଂଶ ନକମି ଦେହରୁ
ସବୁବେଳେ ଜ୍ୟୋତି ବିରାଜମାନ ।
ବରଷା ଋତୁରେ ମାଛି ଭଣଭଣ
ଖାଉଥିବା ନିତି ଉଷୁମ ଖାଦ୍ୟ
ହଇଜା ଜୀବାଣୁ ଭୟେ ଥରୁଥିବେ
ପାଖେ ପଶିବାକୁ ହେବ ଦୁର୍ଭେଦ୍ୟ ।
ନିଜକୁ ଭିଜାଇ ଓଳି ପାଣି ଧାରେ
ଭସାଇବ ନାହିଁ କାଗଜ ଡଙ୍ଗା
ଥଣ୍ଡା ଜ୍ବରରେ ଭୋଗିବ ଯନ୍ତ୍ରଣା
ନରଖିବ ଯେବେ ଦେହକୁ ନିଘା ।
>
ଶୀତୁଆ ଜାଡ଼ରେ ପାଣିକୁ ନଡରି
ନିଇତି ଗୋଧୋଇ ଦେହକୁ ସଫା
କାଛୁ କି କୁଣ୍ଡିଆ ପାଖ ମାଡ଼ିବେନି
ଦିଶୁଥିବା ସଦାସର୍ବଦା ତୋଫା ।
ବରଷକଯାକ ସଫା ପିନ୍ଧୁଥିବା
ନଖରେ ମଇଳା ରଖିବା ନାହିଁ
ରୋଗର ଘରଟି ଆମ ଏହି ଦେହ
ସୁସ୍ଥତା ଆଭାସ ଥିବଟି ଦେଇ ।
ମୁଣ୍ଡରେ ଉଙ୍କୁଣୀ ଯେପରି ନହେବେ
ରଖିବା କେଶକୁ ସଫାସୁତର
ନହେଲେ ରକତ ଶୋଷୁଥିବେ ପୁଣି
କୁଣ୍ଡେଇ କୁଣ୍ଡେଇ ହେବା ଅଧୀର ।
ପାଇଖାନା ପାଇଁ ଜୋତା ବ୍ୟବହାର
ପଡ଼ିଆ ଭୂଇଁରେ ମଳ ନତେଜି
ସ୍ବଚ୍ଛ ପରିବେଶ ଗଠନ କରିବା
ନିଜ ଶରୀରକୁ ନିଜେ ହିଁ ବୁଝି ।
ଅଳିଆ ଖାତକୁ ଘରଠାରୁ ଦୂର
ନାଳନରଦ୍ଦମା ରଖିବା ନାହିଁ
ଖାଲଖମା ଯେତେ ପୋତି ପକାଇବା
ମଶାଙ୍କ ଦାଉରୁ ସୁରକ୍ଷା ପାଇଁ ।
ବାଡ଼ିବଗିଚାରେ ନାନା ଗଛ ପୋତି
ବିଶୁଦ୍ଧ ରଖିବା ବାତାବରଣ
ସାଇକେଲ ଚଢ଼ି ଯାତାୟାତ କଲେ
ହ୍ରାସ ନ ହୋଇବ ଅମ୍ଳଜାନ ।
କମ୍ପୋଷ୍ଟ ଖତର କରି ବ୍ୟବହାର
ନାନା ଫଳ ଫସଲ ଉପୁଜାଇ
ସୁଷମ ଖାଦ୍ୟକୁ ଖାଉଥିଲେ ନିତି
ଦେହଠୁ ରୋଗ ରହିବ ଦୂରେଇ ।
ଯୋଗ ବ୍ୟାୟାମର କରିଣ ଅଭ୍ୟାସ
ସକାଳ ସଞ୍ଜରେ ଚାଲିବା ବାଟ
ଖାଦ୍ୟପେୟ, କାମ ଠିକ୍ ସମୟରେ
ସୃଷ୍ଟିରେ ସାଜିବା ଉତ୍ତମ ଚାଟ ।
ପରିବେଶ ରଖି ସ୍ବଚ୍ଛ ଆମର
ସୁସ୍ଥତା ଗୀତ ଲହରୀ ତୋଳି
ମା' ମାଟି କୋଳେ ସୁସ୍ଥେ ଜୀଇଁବା
ପଡ଼ିବ ହରଷେ ମନ ଉଛୁଳି ।।