ସନ୍ତାନ
ସନ୍ତାନ
ତୋତେ ଜନ୍ମ ଦେଇ ହୋଇଲି ମୁଁ ଧନ୍ୟ
ମୋ କୋଳେ ହୋଇ ତୁ ଜନମ,
ମାତୃ ନାମ ମୋର ସାର୍ଥକ କରିଲୁ
ତୁ ହେଲୁ ମୋ କୁଳ ନନ୍ଦନ ।
ଲଭିଲି ପରଶ କୁମାରୀତ୍ବ ଶେଷ
ଯେବେ ଯଠରେ ତୁ କଲୁ ନିବାସ,
ଧରଣୀରେ ରଖି ତୋ ମୁଖକୁ ଚାହିଁ
ଖେଳିଗଲା ମନେ ମୋର ସୁହାସ୍ୟ ।
କେତେ ଯତନରେ ଗର୍ଭରେ ଧରିଲି
ନ ପଡ଼ୁ ତୋତେ କା ନିଃଶ୍ୱାସ,
ଜନମିଲୁ ଯେବେ ଷଠିଘର ତୋଳି
ପଞ୍ଚୁଆତି ପାଳି ଏକୋଇଶା କଲି ହରଷେ ।
ନ ଲାଗୁ ଆଘାତ କଅଁଳ ପାଦରେ
ଛାଇ ହେଇ ତୋର ରହିଲି,
ତୋ ମାଆ ଡାକରେ ଦୁଃଖକୁ ଭୁଲିଲି
ତୋ ହସେ ଜୀବନ ଜିଇଁଲି ।
ତୋ ପାଇଁ କି ମୋର କେତେ ଯେ ସପନ
ଏ ଆଖିରେ ଉଙ୍କି ମାରିଲା,
ସପନ ସବୁକୁ ପୁରା କରିବାକୁ
ତୋ କଷ୍ଟକୁ ନିଜର କରିଲି ।
ତୁ ଥିଲୁ ମୋର କୋଳର ନନ୍ଦନ
ହଜିଗଲା ମୋର ସୁନେଲିର ଦିନ,
ଯେବେ ଛିଡ଼େଇଲୁ ସବୁ ବନ୍ଧନ
ଦୂର ଦେଶେ ଯାଇ ଭୁଲିଗଲୁ ମା' କୋଳ ସୁଖ ଝୁଲଣ ।
ଏ ରକତେ ଗଢ଼ା ଏ ମମତ୍ୱେ ଗଢ଼ା
କେମିତି ଭୁଲିବି ତୋତେ ମୁଁ,
ମୋ ଜୀବନ ତୁହିଁ ମୋ ପ୍ରାଣ ତୁହିଁ
ତୁହିଁ ମୋର ହୃଦ ସ୍ପନ୍ଦନ ।
ତୁ ପରା ଅଟୁ ମୋ ଆଖିର ପିତୁଳା
ବଂଶ ରକ୍ଷାକାରୀ ସୁସନ୍ତାନ,
ତୋତେ ଝୁରି ଝୁରି ଏ ବୃଦ୍ଧା ଶ୍ରମେ
ଲୁହରେ କଟୁଛି ମୋ ଦିନ ।
ତଥାପି ତୋହର ମଙ୍ଗଳ ମନାସି
ଈଶ୍ୱରଙ୍କୁ କରେ ବନ୍ଦନ,
ଯେଉଁଠି ଥାଆତୁ ସୁଖରେ ଥାଆତୁ
କୋଟି ଆୟୁଷ ନେଇ ଜିଇଁଥା ମୋ ସନ୍ତାନ ।
