ବିଲେଇ ବେକରେ ଘଣ୍ଟି
ବିଲେଇ ବେକରେ ଘଣ୍ଟି
ବିଲେଇର ଆତଙ୍କରେ ହୋଇ ଦବଦବା l
ମୂଷା ମାନଙ୍କର ଦିନେ ବସି ଗଲା ସଭା ll
ସଭାପତି ଉଠି କହେ ଶୁଣ ଭାଇ ମାନେ l
ସହି ହେବନାହିଁ ବିଲେଇକୁ ଦେବା ପାନେ ll
ଏ ପାଇଁ ଉପାୟ ତୁମ୍ଭେମାନେ ସ୍ଥିର କର l
ନୋହିଲେ ବଂଶ ଆମ୍ଭର ବୁଡ଼ିଲା ଏଥର ll
ଯୁବ,ବୃଦ୍ଧ,ଡେଙ୍ଗା,ଗେଡ଼ା,କ୍ଷୁଦ୍ର,ବଡ଼ ଥାଇ l
ମୂଷାଙ୍କର ସଭା କ୍ଷିପ୍ରେ ଚାଲିଛି ଆଗେଇ ll
କେ ବୋଲଇ ବିଲେଇକୁ ବସାଇବା ଫାଶ l
କେ କହି ବିରାଡ଼ି ରାବିଡ଼ିରେ ଦେବା ବିଷ ll
ଏ ଭାବେ ଏକୁ ଆରେକ ପ୍ରସ୍ତାବ ଆସିଲା l
ଗରିଷ୍ଠ ଭୋଟରେ ସବୁ କାଟ ଖାଇଗଲା ll
ଚଲାଖିଆ ମୂଷା ଗୋଟେ ପ୍ରତ୍ୟୁତ୍ପନ୍ନମତି l
ପ୍ରସ୍ତାବ ଗୋଟିଏ ଦେଲା ଧଡ଼ପଡ଼ ଉଠି ll
ସଭାଜନମାନେ ମୋର ପ୍ରସ୍ତାବ ଘେନିବା l
ବିଲେଇ ବେକରେ ଘଣ୍ଟିଟିଏ ବାନ୍ଧିଦେବା ll
ଘଣ୍ଟା ଶବ୍ଦୁ ଜାଣିଯିବା ଆସିଲା ବିଲେଇ l
ଦଉଡ଼ି ଦଉଡ଼ି ସର୍ବେ ଯିବାରେ ପଳାଇ ll
ତାଳିମାଡ଼େ ସଭାସ୍ଥଳି ପଡ଼ୁଥିଲା ଫାଟି l
ବୃଦ୍ଧମୂଷା ଗୋଟେ ତହୁଁ କହିଲାକ ଉଠି ll
ଉତ୍ତମ ପ୍ରସ୍ତାବ ନିଶ୍ଚେ ଶୁଣ ଏକେ ଏକେ l
କିଏ ଯିବ ଘଣ୍ଟିବାନ୍ଧି ବିଲେଇର ବେକେ ll
ଏ ସମୟେ ଶୁଣାଗଲା ବିଲେଇର ମ୍ୟାଉଁ l
ବାଟ ନପାଇଲେ ମୂଷା ପଳାଉଁ ପଳାଉଁ ll
ଅସମ୍ଭବ କଥା ଘେନି ଖାଅ ନାହିଁ ଲଡ଼ୁ l
ମୂଷାଙ୍କ ବିଚାର ପ୍ରାୟ ପ୍ରମାଦ ନ ପଡ଼ୁ ll
