ବିଶ୍ବାସରେ ବିଷ ଦିଅନା କେବେ
ବିଶ୍ବାସରେ ବିଷ ଦିଅନା କେବେ
ବିଶ୍ବାସେ ପ୍ରଚଳେ ଜୀବନ ନଉକା
ବିକଶେ ସଭ୍ଯତା ମାନବ ଜାତି,
ଆବର୍ତ୍ତେ ସମୟ ଋତୁ ଜଳଚକ୍ର
ବିଶ୍ବାସେ ସଂସାର ରହିଛି ତିଷ୍ଠି ।
ବିଶ୍ବାସରେ ପ୍ରାପ୍ତ ହୁଅନ୍ତି ଈଶ୍ୱର
ସାକାର ହୁଅଇ ସ୍ବପ୍ନ ସୁନ୍ଦର,
ବହଇ ମରୁତ ନଦୀ ସ୍ରୋତସ୍ବିନୀ
ଉଦୟ ହୁଅନ୍ତି ସୂରୁଜ ଚନ୍ଦ୍ର ।
ଗଢଇ ବିଶ୍ବାସ ସମ୍ବନ୍ଧ ସମ୍ପର୍କ
ପରିବାର ଘର ସ୍ବର୍ଗ ମନ୍ଦିର,
ବିକଶିତ ହୁଏ ପଙ୍କରୁ ପଙ୍କଜ
ଚହଟେ ସୁମନେ ବାସ ମଧୁର ।
ଅଟେ ସୁବିଶ୍ବାସ ଧାରା ସୁଧାମୃତ
ସମର୍ପଣ ଭକ୍ତି ମମତା ପ୍ରେମ,
ଭବ୍ଯ ମାନବତା ସୁଗୁଣ ଦିବ୍ଯତା
ଉଦ୍ଭବେ ବିଶ୍ବାସୁ ପ୍ରାଣ ସ୍ପନ୍ଦନ ।
ନୁହେଁ ଖେଳଘର ଶକତିର ଉତ୍ସ
ବିଶ୍ବାସରେ ବିଷ ଦିଅନା କେବେ,
ସତ୍ଯ ଶାନ୍ତି ଦୟା କ୍ଷମା ସୁବିଶ୍ବାସେ
ବିକଶେ ଦେବତ୍ବ ସୃଷ୍ଟି ସମ୍ଭବେ ।
