ସହ ଧର୍ମିଣୀ
ସହ ଧର୍ମିଣୀ
ସଂସାର ନାଆରେ ଯେବେ ସାଥି ହେଲ
ସାଜିଲ ମୋ ସହଧର୍ମିଣୀ,
ସାତ ଜନ୍ମ ପାଇଁ ଅଗ୍ନି ସାକ୍ଷୀ ରଖି
ହୋଇଲ ମୋ ସହକର୍ମିଣୀ ।
ନାରୀ ଧର୍ମ ତୁମ ସାର୍ଥକ କରିଲ
ବିବାହ ବେଦୀ ହୋମ ନିଆଁରେ,
ଷୋଳ କଳସୀର ଷୋଳ ଶୃଙ୍ଗାରରେ
ସଜାଇ ହୋଇ ନାରୀନାରାୟଣୀ ରୂପରେ ।
ଏକ ମନ ଏକ ଦେହ ଆମର ଯେ
ପ୍ରତି ସୁଖେ ଦୁଃଖେ ସାଥି ହୋଇଲ,
ସଂସାର ହସିବା ପାଇଁ କି ତୁମେ ଯେ
ପ୍ରେମ ରଙ୍ଗ ମନେ ମାଖିଲ ।
କର୍ତ୍ତବ୍ୟ କର୍ମରେ ହେଳା ନ କରିଣ
ସଭିଙ୍କୁ ନିଜର କରିଲ,
ପିତାମାତା ମୋହ ତ୍ୟାଗ କରି ତୁମେ
ସ୍ୱାମୀ ସହ ଭାଗୀ ହୋଇଲ ।
ଆପଣାଇ ନେଇ ଫୁଲ ଓ କଣ୍ଟାକୁ
ହୃଦୟକୁ ଲୌହ କରିଣ,
ବଜର ପରିଣ ସବୁ ସହି ତୁମେ
ସଂସାର ନାଆକୁ ବାହିଲ ।
ସ୍ୱାମୀ ସୁଖେ ସୁଖୀ ସ୍ୱାମୀ ଦୁଃଖେ ଦୁଃଖୀ
ସେଥିପାଇଁ ସହଧର୍ମିଣୀ,
ସୁଖ ଦୁଃଖ ବାଣ୍ଟି ପରସ୍ପରେ ତୁମେ
ସାଜିଲ ଘରର ମଉଡମଣୀ ।
ଜୀବନକୁ ଜଉଘର କରିଦେଲ
ଅନ୍ତଃର୍ଦାହେ ସଦା ରହିଲ,
ସ୍ୱାମୀ ହିଁ ଦେବତା ସ୍ୱାମୀ ମୁକ୍ତିଦାତା
ଏ କଥା ମନରେ ଚିନ୍ତିଲ ।
ସନ୍ତାନ ଜନମି ଗର୍ଭ କଷ୍ଟ ସହି
ଜନନୀ ତୁମେ ଯେ ହୋଇଲ,
ଏକ ପତି ତୁମ ହୃଦୟରେ ବାସ
ପତିବ୍ରତା ସତୀ ହୋଇଲ ।
ଜୀବନ ଯୁଦ୍ଧରେ ହାରିଯିବ ନାହିଁ
ହୋମନିଆଁ ସାକ୍ଷୀ ରହିଲା,
ପତିଘର ତୁମେ ସ୍ୱର୍ଗପୁର କରି
ସହଧର୍ମିଣୀ ନାମ ସାର୍ଥକ କରିଲ ।
କାଳେ କାଳେ ତୁମ ବିଜୟର ବାର୍ତ୍ତା
ସଂସାରେ ପ୍ରଚାର ହୋଇଲା,
ଭଙ୍ଗା ଗଢ଼ା ଏଇ ଦୁଃଖ ସଂସାରରେ
ସହଧର୍ମିଣୀ ମର୍ଯ୍ୟାଦା ରଖିଲ ।
