ରାଧାଈଷ
ରାଧାଈଷ
ରାଧା ଲୁହ ବୋଧେ ପଡିଲା ପ୍ରଭୁ ହେ
ଯଦୁବଂଶ ହେଲେ ନାଶ,
ଶିଆଳି ଲତାରେ ଝୁଲୁଥିଲ ତୁମେ
ମାରି ଟିକେ ସ୍ମିତ ହାସ୍ୟ ।
ବଂଶ ନାଶ ଯାଉ ବୋଲି ପ୍ରଭୁ
ମନେ ନଥିଲା ଟିକିଏ କ୍ଳେଶ,
ସେଥିପାଇଁ ବୋଧେ ଜାରା ଶବର
ତୀରରେ ତେଜିଲ ପ୍ରଭୁ ଶେଷ ନିଃଶ୍ୱାସ ।
କାହା ପାଇଁ ନିନ୍ଦା ଲାଗିବନି ବୋଲି
ମାରୁଥିଲ କି ଅଟ୍ଟହାସ୍ୟ,
ବଂଶ ନାଶ ଯିବ ବୋଲି ମନେ
ନଥିଲା ତୁମର ଅବଶୋଷ ।
ଏରକାର ବଣେ ନିଜ ନିଜ ମଧ୍ୟେ
ଯେବେ ହେଉଥିଲା ଯୁଦ୍ଧ ଶେଷ,
ଏତେ ବେଳେ ପ୍ରଭୁ ନିଜ ଲୀଳା କାହିଁ
ନ କଲ ତୁମେ ପ୍ରକାଶ ।
ତ୍ରେତୟା ଯୁଗରେ ଅଭିନୟ କରି
ବଦଳାଇ ତୁମ ବେଶ,
ରାମ ରାବଣ ଯୁଦ୍ଧ ପୁଣି
ଲାଗିଲା ବରଷ ବରଷ ।
ସବୁ ଅବତାରେ ଅବତାର ନେଇ
ପାଇଥିଲ କେଉଁ ଯଶ,
ନିଜ ବଂଶ ପାଇଁ ମନରେ ତୁମର
ନ ଥିଲା ଟିକିଏ ଲେଶ ।
ପ୍ରଭୁ ମାୟାଧର ମାୟା ନ କରି ପ୍ରକାଶ
ପାଇଲ ତୁମେ କେଉଁ ସୁଖ ସ୍ପର୍ଶ,
ନିଜ ହାତେ ପୁଣି ନିଜ ବଂଶ ତୁମେ
କରିଦେଲ ପ୍ରଭୁ ଶେଷ ।
ଏତେ ଲୀଳା ପ୍ରଭୁ କାହିଁକି ରଚିଲ
ହେ ଲୀଳାମୟ ଲୀଳାପୁରୁଷ,
ଭକ୍ତିଅର୍ଘ୍ୟ ତୁମ ଚରଣେ ସମର୍ପେ
ହେ ମୋହନ ରାଧାଈଷ ।