ସେ ନାରୀ
ସେ ନାରୀ
ମମତାରେ ବନ୍ଧା ତା ହୃଦୟ ସଦା
ନାରୀ ସେତ ନାରାୟଣୀ,
ଧରି ସେ ଆଞ୍ଜୁଳି ଯାଏ ପିତା ଘରୁ
ସାଜିଥାଏ ପତି ଗୃହେ କଲ୍ୟାଣୀ ।
ଦୁହିତା ବୋଲି ଯେ ଦୁଇକୂଳହିତା
କାଳେ କାଳେ ହୋଇ ସେ ଅପରାଜିତା,
ହେଲେ କପାଳେ ଦୁଃଖ ଲେଖେ
ଯେବେ ଭାଗ୍ୟ ବିଧାତା ।
ସୃଷ୍ଟି ସଂରଚନା ଲାଗଇ ସୁନ୍ଦର
ସେ ଯେବେ ହୁଅଇ ଉଭା,
ଗୃହ ପୂରିଉଠେ ତା ହସରେ ସଦା
ଜୁଇ ଯାଇ ମଲ୍ଲୀ ହସନ୍ତି ତା ଗଭା ।
ଦୁର୍ଗାରୂପୀ ସେ ମୋହିନୀ
ଜଗତ ଜନନୀ ମା ଭଗିନୀ,
ଦୁଃଖ ଭାଗିନୀ ସେ ଅଭୟଦାୟିନୀ
ମଙ୍ଗଳମୟୀ ସେ ସୁଖ ପ୍ରଦାୟିନୀ ।
ଯେବେ ସେ ପାଏ ସଂସାରୁ ଅପବାଦ ନାଗରା
ହୋଇଯାଏ ସଂହାରକାରିଣୀ,
ଆଜି ତା ଦିବସ ପାଳୁଛି ଜଗତ
ହେଲେ ତାକୁ ଟିକେ ସମ୍ମାନ ମିଳେନି ।
<
/p>
ତା' ମୁଖରେ ହସେ ଶତଦଳ ପଦ୍ମ
ସେ ସଦା କଲ୍ୟାଣକାରିଣୀ,
ମାତୃକଷ୍ଟ ସହି ସନ୍ତାନ ପ୍ରସବୀ
ହୋଇଥାଏ ସେ କୁଳ ବିମଣ୍ଡିନୀ ।
ଯେବେ ସଞ୍ଜବତୀ ଜାଳେ ବୃନ୍ଦାବତୀ
ଆଖି ଲୁହ ଧାରେ ବସି,
ସୁଖ ଦୁଃଖ ଭରା ସଂସାରକୁଟିକେ
ବାହିନେବ ବୋଲି ହସି ।
ଅଦିନ ଝଡ଼ଟେ ଯଦି କେବେ
ତା ଜୀବନାକାଶେ ଉଏଁ,
ନାରୀରୂପ ତାର ମମତା ମୟୀରୁ
ମହିଷା ମର୍ଦ୍ଦିନୀ ହୁଏ ।
କେତେ ରୂପେ ଉଭା ହୋଇ ସେ କନ୍ୟା
ଭଗିନୀ, ଜାୟା, ଜନନୀ,
ଯଦି କେବେ ପୁଣି ହୁଏ ଅଭାଗିନୀ,
ସୃଷ୍ଟି କ୍ଷୀଣ ହୁଏ ସାଜେ ସେ ଭୁବନ ନାଶିନୀ ।
ଏ ସମାଜେ କରେ ଏତିକି ଗୁହାରି
ବୁଝିଯାଅ ଥରେ ତାର ଏ କାହାଣୀ,
ନ ହେଉ ଦୁଃଖିନୀ ସେ ଜଗତଜନନୀ
ଶକ୍ତିରୂପା ଯୁଗେ ଯୁଗେ ନାରୀ ସେତ ନାରାୟଣୀ ।