ଜ୍ଞାନୋଦୟ
ଜ୍ଞାନୋଦୟ
ଭାଳେଣି ତ ପଡ଼ିଥିଲା ପିଲାଙ୍କର ଭିତରେ
କିଏ ଗୁରୁ ଗୁରୁ କିଏ ସେ କଥାକୁ ବିଚାରେ
ଗୁରୁଦିବସ ପାଖେଇ ଆସିଲାଣି ଘନେଇ
ଗୁରୁ ନ ଥିଲେ କି ହେବ ବୁଦ୍ଧି ତ ଦିଶୁନାହିଁ
କାହାକୁ ଦେବେ ସମ୍ମାନ କେ ଉପହାର ନେବ
ଗୁରୁଦିବସରେ କିଏ ଏବେ ପୂଜା ପାଇବ
ଗୁରୁ ଶବ୍ଦ ଶୁଣିଲେ ତ ମନେ ଏହା ଆସଇ
ଗମ୍ଭୀର ମୁହଁଟେ ସହ ତ୍ୟାଗ ଗୁଣ ଦିଶଇ
ଯିଏ ପାଠ ପଢେଇବେ ଶିକ୍ଷାଦାନ ସକାଶେ
ତିଳେ ମାତ୍ର ଅବହେଳା ନକରି ଅବକାଶେ
ପୂଣ୍ୟ ଭାବି ଶିକ୍ଷା ଦେବେ ଚରିତ୍ରକୁ ଗଢ଼ିବେ
ବିନା ସ୍ୱାର୍ଥେ ଦିନରାତି ବିଦ୍ୟା ପାଇଁ ଲାଗିବେ
ପାଠ ପଢେଇବେ ନାହିଁ ଉପାର୍ଜନ ନିମନ୍ତେ
ପୋଥିଗତ ବିଦ୍ୟା ଦେଇ ରହିବେନି ସେ ଶାନ୍ତେ
ଏମିତିକା ଗୁରୁ ସିନା ପୂଜା ଯୋଗ୍ୟ ହୋଇବ
ବାତ୍ସଲ୍ୟରେ ଛାତ୍ରଙ୍କୁ ଯେ ଶିକ୍ଷା ଶିଖାଉଥିବ...
ଜଣେ କହିଲା ଜାଣିଛି ମୁଁ ଏମିତିକା ଗୁରୁଙ୍କୁ
ପୂଜା କରି ପାରିବା ଯେ ଆମେମାନେ ତାହାଙ୍କୁ
ପିନ୍ଧନ୍ତି ଧୋତି କୁର୍ତ୍ତା ସେ ଚୁଟି ତାଙ୍କ ଧବଳ
ତାଙ୍କ ପାଖେ ଜ୍ଞାନ ସବୁ ହୋଇଉଠେ ଚଞ୍ଚଳ
ଆଉ ଜଣେ କହିଲା ମୁଁ ଜାଣେ ଆଉ ଜଣଙ୍କୁ
ଗୁରୁମାତା ଅଟନ୍ତି ସେ ପୂଜା କର ତାହାଙ୍କୁ
ଆଉ ଜଣେ ମଧ୍ୟ ଅନ୍ୟ ଗୁରୁନାମ କହିଲା
ଜଣଙ୍କ ଠୁଁ ଆଉ ଜଣେ ବଳି ଗୁଣ ଗାଇଲା
ବସି ଶୁଣୁଥାଏ ଜଣେ ଚୁପ୍ ହୋଇ ସଭିଙ୍କୁ
ଶେଷରେ ପଚାରିଲେ ସମସ୍ତେ ଯେ ତାହାକୁ
ଅଳ୍ପ ହସି କହିଲା ସେ ଦ୍ଵନ୍ଦ୍ୱ ମନରେ ଅଛି
ପ୍ରକୃତ ଗୁରୁ କେ ମୋର ନିଷ୍ପତ୍ତି ନ ହେଉଛି
ମାତା ମୋ ପ୍ରଥମ ଗୁରୁ ଶିଖାଇଛି ବଞ୍ଚିବା
ଜୀବନରେ କେବେ ହେଲେ ମିଛକୁ ନ କହିବା
ବାପା ଚିହ୍ନାଇଲେ ମୋତେ ଜୀବନର ରାସ୍ତାକୁ
ଗୁରୁ ମାନି ଦଣ୍ଡବତ ହୁଏ ନିତି ତାହାଙ୍କୁ
ପିମ୍ପୁଡ଼ି ହେଉ କି କାକ ହେଉ ଅବା କାକଳି
ଶିଖାନ୍ତି ବହୁତ କଥା ଜଣେ ଆରକୁ ବଳି
ଗଛ ପତ୍ର ଚନ୍ଦ୍ର ତାରା ହେଉ ଅବା ପର୍ବତ
ଜୀବନ ବଞ୍ଚିବା କଳା ଶିଖାନ୍ତି ଏ ସମସ୍ତ
ତେବେ କୁହ କିପରି ସେମାନେ ଗୁରୁ ନୋହିବେ
ଗୁରୁଦିବସରେ ଟିକେ ସମ୍ମାନିତ ନ ହେବେ
ଯିଏ ଶିଖାଏ ସେ ଗୁରୁ ଏହା ସତ୍ୟ ବଚନ
ଗୁରୁ ହିଁ ତ ଶିଖାଏ ସତ୍ୟ ଧର୍ମ ସନ୍ଧାନ
ସବୁଠାରୁ ବଡ ଗୁରୁ ପରମପିତା ଈଶ୍ୱର
ଶିଖାନ୍ତି ଜୀବନ ଯୁଦ୍ଧ ଠିକ୍ ଭୁଲ ବିଚାର
ପ୍ରକୃତି ଶିଖାଏ ମୋତେ ପରୋପକାର ସାଧନ
ଚତୁଃପାର୍ଶ୍ୱେ ଗୁରୁ ମୋର ସର୍ବେ ପୁଣି ସମାନ
ଶୁଣି କଥା ମଧୁର ସମସ୍ତେ କଲେ ବିଚାର
ଜଣଙ୍କୁ ପୂଜା କରିବାନି ଗୁରୁ କହି ଏଥର
ଭଲଗୁଣ ଶିଖିବାକୁ ନକରି ବାଛ ବିଚାର
ଗୁରୁ ନୁହେଁ ଦିନକର ଅଟେ ସେ ଜୀବନର
ଜିଜ୍ଞାସା ଥିଲେ ମନରେ ଗୁରୁ ଆପେ ଆସଇ
ଗୁରୁଙ୍କ ପାଦେ ମୋ ମଥା ସବୁବେଳେ ନୁଅଁଇ
ଗୁରୁଦିବସରେ ଆଜି ଏ ସଂକଳ୍ପ କରିବା
ଚରିତ୍ର ଗଠନ ସହ ବିଦ୍ୟାର୍ଜନ ଲଭିବା
ଗୁରୁଖୋଜା ଗୁରୁପୂଜା ବନ୍ଦ କରିବା ଏଥର
ଶିଷ୍ୟ ହେବା ଚେଷ୍ଟାରେ ଆଣିବା ନୂଆ ବିଚାର
ମାତାପିତା ପାଦେ ମୁଣ୍ଡ ନୁଆଁଇବା ଖୁସିରେ
ହାତ ଯୋଡ଼ି ସମସ୍ତଙ୍କୁ ପ୍ରଣମି ଆନନ୍ଦରେ
ଗୁରୁଦିବସରେ ଆମେ ଏହି ଶପଥ ନେବା
ଦେଖାଣିଆ ଭାବ ଛାଡ଼ି ସତ୍ୟପଥେ ଚାଲିବା
ସବୁ ଗୁରୁ ଏଥିପାଇଁ ପ୍ରସନ୍ନ ହୋଇଯିବେ
ଆମ ପରି ଅନ୍ୟ ପିଲେ ଏହି କଥା ଶିଖିବେ
ଗୁରୁଜନ ଗୁରୁ ବୋଲି ବିଚାରଟି ରଖିବା
ସବୁଦିନ ବିନମ୍ରରେ ଗୁରୁଙ୍କୁ ପୂଜୁଥିବା
ଜଣେ ନୁହେଁ ଆମ ଗୁରୁ ଅନେକ ତ ଅଛନ୍ତି
ଆଶୀର୍ବାଦ ଦେଇ ଆମ ମଙ୍ଗଳ ମନାସନ୍ତି
ସବୁ ଗୁରୁ ଶିକ୍ଷକଙ୍କ ପାଦେ କୋଟି ପ୍ରଣାମ
ଗୁରୁଦିବସେ ଆଶିଷ ଲୋଡ଼େ ଏହି ଅଧମ
