ଶାନ୍ତି ହିଁ ମୁଖ୍ୟ
ଶାନ୍ତି ହିଁ ମୁଖ୍ୟ
ଭାରତ ଆମର ଶାନ୍ତିର ଦେଶ
ଶାନ୍ତି ମୈତ୍ରୀ ବାର୍ତ୍ତା ବାଣ୍ଟେ ଜଗତେ,
ଜନ୍ମିଥିଲେ ଏଠି କେତେ ପୂଣ୍ୟାତ୍ମା
ଶାନ୍ତି ପ୍ରଚାରକ ଥିଲେ ଯେ କେତେ l
ଅହିଂସାର ବାଣୀ ଶିଖାନ୍ତି ଗାନ୍ଧିଜୀ
ଶାନ୍ତି ତାଙ୍କର ବାଣୀରେ ଥିଲା,
ଅସହଯୋଗର ମଶାଲ ଜାଳିଲେ
ଦେଶଟି ଆମର ସ୍ୱାଧୀନ ହେଲା l
ବୁଦ୍ଧଙ୍କର ନୀତି ଶାନ୍ତି ପାଇଁ ସଦା
ପଥକୁ ଆମକୁ ଦେଖାଇଥିଲେ,
ବିବେକାନନ୍ଦ ଯେ ଚିକାଗୋ ଠାରେ
ବିଶ୍ୱ ଭାତୃତ୍ୱର ବାରତା ଦେଲେ l
ଗୀତା ଭାଗବତ ପୁରୁଣା ସଂସ୍କାର
ଶାନ୍ତି ବୀଜ ବୁଣେ ହୃଦୟେ ଆମ,
ଛାଡି ହିଂସା ଦ୍ୱେଷ ଲୋଭ ମୋହ ଆଦି
ଶାନ୍ତିରେ ଜୀବନ ଜିଇଁବା କର୍ମ l
ଯୁଦ୍ଧ ଡାକିଆଣେ ଅନେକ ବିପତ୍ତି
ଅର୍ଥନୀତି ସଦା ଭୁଶୁଡ଼ି ଯାଏ,
ଜନ ଜୀବନଙ୍କୁ କ୍ଷତି ପହୁଞ୍ଚାଇ
ଲୁହ ଓ ଲହୁର ବନ୍ୟା ଛୁଟାଏ l
ଅନାଥ କରଇ କେତେଯେ ଶିଶୁଙ୍କୁ
ଚପଳତା ତାଙ୍କ ଛଡାଇ ନିଏ,
ଖାଦ୍ୟ ଅଭାବରେ କର୍ମ ଅଭାବରେ
ଜନତାଙ୍କୁ ଜର୍ଜରିତ କରାଏ l
ଶାନ୍ତି ଜୀବନର ପରମ ଆସ୍ପଦ
ଭାଇଚାରା ଓ ସଦଭାବନା ବାଣ୍ଟି
ବିଶ୍ୱଭାତୃତ୍ୱରେ ବାନ୍ଧିହେଲେ ସର୍ବେ
ଦେଶ ଓ ଦଶର ହେବ ଉନ୍ନତି l
ଶାନ୍ତି ଆଣଇ ଜୀବନେ ଆନନ୍ଦ
ଅଶାନ୍ତ ଜୀବନ ରୋଗର ଘର,
ଈଶ୍ୱରଙ୍କ ପାଶେ ମନ ନିବେଶିଲେ
ଶାନ୍ତି ବିରାଜିବ ହୃଦେ ଆମର ।
