ଉତ୍କଳ ଦିବସ
ଉତ୍କଳ ଦିବସ
ପୁକାରେ ଓଡିଶା ଉତ୍କର୍ଷ ଉତ୍କଳ
ପ୍ରାଣ ହୁଅ ସଞ୍ଜିବୀତ
ବରଷକେ ଥରେ ଅପ୍ରେଲ ପହିଲା
ହୋଇଅଛି ଉପଗତ ।
ଗୌରବ ଉଜ୍ଜ୍ବଳ ଆମ ପରମ୍ପରା
ସୁସମୃଦ୍ଧ ନୌବାଣିଜ୍ୟ
ଉଦ୍ଭାସେ ଦିଗନ୍ତେ ନବୀନ ପ୍ରଭାତ
ଉଦେ ଦୀପ୍ତିମାନ ସୂର୍ଯ୍ଯ ।
ଐର ଖାରବେଳ କେଶରୀ ଯଯାତି
ବୀର କପିଳେନ୍ଦ୍ର ଦେବ
ଜାଗ ଉତ୍କଳୀୟ ବଳ ଶତସିଂହ
ଯଶକୀର୍ତ୍ତି ସମୁଦ୍ଭବ ।
ତୁମ କର ସ୍ପର୍ଶ ସ୍ବପ୍ନ ଭାବକଳ୍ପେ
ପାଷାଣରେ ଫୁଟୁ ପ୍ରାଣ
ସୁନାର ଫସଲ ହେଉ ଉତ୍ପାଦନ
ହସି ଉଠୁ ବିଲ ବନ ।
ରଚ ଇତିହାସ କାବ୍ଯ ସୁସାହିତ୍ଯ
ସତ୍ଯ ହେଉ ଉଜାଗର
ଧର୍ମ ସୁସଂସ୍କୃତି ଐତିହ୍ଯ କୀରତି
ସୁରକ୍ଷ ପୁନରୁଦ୍ଧାର ।
ଭାଷା ସ୍ବତନ୍ତ୍ରତା ଭାବ ସମନ୍ବୟେ
ଓଡିଶା ହେଉ ଅନନ୍ଯା
ଉଡୁ ବୈଜୟନ୍ତୀ ଶ୍ରୀପୁରୁଷୋତ୍ତମେ
ପତିତପାବନ ବାନା ।
ଜ୍ଞାନ କଉଶଳ ପ୍ରଯୁକ୍ତି ପ୍ରୟୋଗେ
ହୋଇ ଆମେ ସୁସମୃଦ୍ଧ
ନେବା ସୁସଙ୍କଳ୍ପ ସାଧିବା ସୁଲକ୍ଷ୍ଯ
ସ୍ବାତନ୍ତ୍ର୍ଯେ ହେବା ଉଦବୁଦ୍ଧ ।
