କାମନାର ବିନାଶରେ ଦୁଃଖର ବିନାଶ
କାମନାର ବିନାଶରେ ଦୁଃଖର ବିନାଶ
ମାନବ ଜୀବନ ମୋହଗ୍ରସ୍ତ ପ୍ରାଣ
ମାୟା ମୋହେ ସର୍ବେ ବନ୍ଧା,
କାମନାର ଜାଲ ବୁଣି ଚାଲିଥାନ୍ତି
ସତେକି ଜାଲରେ ଛନ୍ଦା ।
କାମନାର କେବେ ଶେଷ ତ ନଥାଏ
ଏକପରେ ଆନ ଆସେ,
କେବେ ପୂର୍ଣ୍ଣ ହୁଏ କେବେ ହୁଏ ନାହିଁ
ହତାଶା ମନକୁ ଗ୍ରାସେ ।
କାମନା ବିନାଶେ ଦୁଃଖର ବିନାଶ
ବୁଦ୍ଧଦେବଙ୍କର ବାଣୀ,
ବୁଝିଥିଲେ ଏହା ଅଯଥାରେ ମନ
ହେବ ନାହିଁ କେବେ ଗୁଣି ।
ବୁଦ୍ଧଦେବଙ୍କର ଚାରି ସତ୍ୟ ମଧ୍ୟେ
ତୃତୀୟେ ଏହାର ସ୍ଥାନ,
କାମନା ରହିତ ହୋଇଲେ ଜୀବନ
ଶାନ୍ତିରେ କଟଇ ଦିନ ।
ଯାହା ପ୍ରଭୁଦେଲେ ତହିଁରେ ସନ୍ତୁଷ୍ଟ
ରହିବ ମନଟି ଯେବେ,
ଅଯଥା କାମନା ମନରେ ଆମର
ସୃଷ୍ଟି ହେବ ନାହିଁ କେବେ ।
ମାନବ ଜୀବନ ଅଢେଇ ଦିନର
ଆଜି ଅଛି କାଲିନାହିଁ,
ଧନ ସମ୍ପଦର ଠୁଳ ପାଇଁ କେବେ
କାମନା ବଢାଅ ନାହିଁ ।
କାମନା ଅଟଇ ଅତି ଭୟଙ୍କର
ନାଶ କରେ ବୁଦ୍ଧି ଶୁଦ୍ଧି,
କାମନା ଯୋଗରୁ ନାନା ଅପରାଧ
ସମାଜରେ ହୁଏ ବୃଦ୍ଧି ।
ଅତିରିକ୍ତ କାମନା ମନରେ ନ ଆଣି
ଦୂରେଇ ରହିବା ଶିଖ,
କାମନା ବିନାଶରେ ଦୁଃଖ ବିନାଶ
ବାଣୀଟିକୁ ମନେରଖ ।
