ଅକବି କବିତା କଥା
ଅକବି କବିତା କଥା
କବି ସିନା ଜାଣେ କବିତା ଦିବସ
ଅକବି ଜାଣିବ କାହୁଁ
କଲମ ମୁନରେ କବି ଆଙ୍କିଦେବ
ଅକବି କରିବ ଉହୁଁ
ଅକବିରେ ଗଣା ମୁଁ
କେମିତି କହିବି କବିତାର ଭାଷା
ମୁଁ ହେଉଛି ଖୁଁ ଖୁଁ।୧।
କବି ଆଙ୍କି ଦିଏ ବିନା କାନ ଭାସେ
ନାଲି ନେଳି କେତେ ଛବି
କବି ଗାଇ ଯାଏ ଜୀବନ ସଙ୍ଗୀତ
କେତେ କଥା ଭାବି ଭାବି
ଧରା ତଳେ କବି ରବି
ଅନୀତି ଦୁର୍ନୀତି ଅଭିଯୋଗ ବାଢ଼ି
ଲେଖନୀ ରେ ଦିଏ ଖୋବି।୨।
ଫୁଟାଇ ଦିଏ ସେ ପର୍ବତ ଶିଖରେ
ମନୋହର ଶତଦଳ
ଛୁଟାଇ ଦିଏ ସେ ମରୁଭୂମି ପରେ
ନିର୍ଝରିଣୀ କଳ କଳ
ଖଟାଇ କଲମ ବଳ
ବିନା କୁସୁମରେ ଥୁଣ୍ଟା ପାଦପରେ
ଫଳାଇ ଦିଏ ସେ ଫଳ।୩।
ରମ୍ୟ ଅଟ୍ଟାଳିକା କବି ଗଢ଼ି ପାରେ
ଅପହଞ୍ଚ ଗଗନରେ
ମୁନି, ଋଷି, ସାଧୁ, ସନ୍ଥ କଥା କହେ
କବି ବସି ମଗନରେ
ଜନ୍ମ ଶୁଭ ଲଗନରେ
ଇତିହାସ ପୁଣି ପୁରାଣ କାହାଣୀ
ଆଙ୍କେ ମନ ଅଙ୍ଗନରେ।୪।
କବି ଲେଖିପାରେ ନଗଡା କାହାଣୀ
ଦାନି ମାଝୀ ଦୁଃଖ କଥା
ସେହି ବୁଝି ଲେଖେ ସାମାଜିକ ଚିତ୍ର
ଦୀନ ଦୈନ୍ୟତାର ବ୍ୟଥା
ସଂସ୍କାର ସଂସ୍କୃତି ପ୍ରଥା
ବିରହ, ମିଳନ, ପ୍ରିୟା, ପ୍ରେମ ,ପ୍ରୀତି
ବିଚ୍ଛେଦ ହୃଦୟ ଗାଥା।୫।
ସେହି ସୃଜିି ପାରେ ତ୍ରିଭୁବନ ଭାବ
ଭୂମି ଠାରୁ ଭୂମା ଯାଏଁ
ସେହି ଖଞ୍ଜି ପାରେ ବିରହ ରାଗିଣୀ
ହୃଦୟ ତନ୍ତ୍ରୀ ରେ ଖିଏ
ଅସୁରୁଣୀ କଥା କହେ
ଶବ୍ଦ ଫୁଲ ଗୁନ୍ଥି କବିତା ମାଳରେ
ସୁନ୍ଦର ସଜାଇ ଦିଏ।୬।
ନୂଆ ନୂଆ ଯାଏ ସୃଜି
ମୁଁ ଛାର ଅକବି କି ଅବା ଲେଖିବି
କବିତା ଦିବସେ ଆଜି
ସପନରେ ଯାଏ ହଜି
ସୁକାନ୍ତି କାନ୍ତିକୁ ହଜେଇ ଦେଇଛି
କବି ପରା ଅଟେ ଦ୍ବିତୀୟ ଇଶ୍ଵର
ଆଜି ମୁଁ ହେଉଛି ଖୋଜି।୭।