କନ୍ୟା କୂଳର ଧନ୍ୟା
କନ୍ୟା କୂଳର ଧନ୍ୟା
(ରାଗ - କଳ ହଂସ କେଦାର)
କନ୍ୟାଟିଏ ଅଟଇ କୂଳର ଧନ୍ୟା
ଯତ୍ନ ନେଲେ ସେ ହୋଇଯାଏ ଅନନ୍ୟା ଯେ
ଉପଯୁକ୍ତ ଶିକ୍ଷା ଓ ସଂସ୍କାର ଦେଇ
ବଢ଼ାଇଥିଲେ ସ୍ନେହ ଆଦର ଦେଇ ଯେ
ଆଦର୍ଶ ମଣିଷ ସେ ନିଶ୍ଚୟ ହେବ
ପିତାମାତାଙ୍କ ଶିର ଉଚ୍ଚ କରିବ ଯେ.
ଦୁଇକୁଳର ହିତା ନାମ ଦୁହିତା
ପାଠ ପଢି ହୋଇବ ଜଗତ ଜିତା ସେ.
ପୁଅ ଝିଅ ଅଟନ୍ତି ଦୁହେଁ ସମାନ
ଦୁଇଜଣଙ୍କୁ ଦେବା ଏକା ଆସନ ଯେ.
ପୁଅ ପୋଷିବ ଝିଅ ଯେ ପରଘରି
ମନରେ ଏ ଚିନ୍ତା ନ ରହୁ କାହାରି ଯେ.
ଝିଅ ଆଜି ଶିକ୍ଷକ ଓ ଅଧ୍ୟାପକ
ଡାକ୍ତରାଣୀ ଓ ଅଟନ୍ତି ବୈଜ୍ଞାନିକ ଯେ
ଇଞ୍ଜିନିଅର ପୁଣି ସେ ବୈମାନିକ
ରାଷ୍ଟ୍ରନିର୍ମାତା ହୋଇ ରଖନ୍ତି ଟେକ
ଦୌଡ଼ ରାଣୀ ହୋଇ ସ୍ୱର୍ଣ୍ଣ ପଦକ
ଜିତି ରଖିଅଛନ୍ତି ଦେଶର ଟେକ ଯେ.
କୁସ୍ତି, ଓ ଭାର ଉତ୍ତୋଳନ କ୍ଷେତ୍ରରେ
ପୁଅଙ୍କ ଠାରୁ ଝିଅ ଛନ୍ତି ଆଗରେ ଯେ.
ଯୁଗେ ଯୁଗେ କନ୍ୟା ଅଟନ୍ତି ଅନନ୍ୟା
ଗାର୍ଗୀ, ମୈ ତ୍ରେୟୀ, ପୁଣି ପଣ୍ଡିତା ଖନା ଯେ
ମହାରାଣୀ ଲକ୍ଷ୍ମୀବାଇ, ଦୁର୍ଗାବତୀ
ଶୁକଦେଇ,ରମାଦେବୀ,ଓ ମାଳତୀ ଯେ
ବିଜୟଲକ୍ଷ୍ମୀ, ଓ କୁନ୍ତଳା କୁମାରୀ
ସରୋଜିନୀ ନାଇଡୁ, ମାଡାମ କ୍ୟୁରୀ ଯେ
ଇନ୍ଦିରା ଗାନ୍ଧୀ, ନନ୍ଦିନୀ ଶତପଥି
ଇତିହାସେ ଅମର ରହିଛି କୀର୍ତ୍ତି ଯେ.
ଭଞ୍ଜ ଭୂମିର କନ୍ୟା ହେଲେ ଅନନ୍ୟା
ପିତା ମାତାଙ୍କ ଠାରୁ ପାଇ ପ୍ରେରଣା ଯେ
ପିତା ମାତାଙ୍କର ସଭ୍ୟତା ସଂସ୍କୃତି
ଗଠନ କରଇ ସୁପୁତ୍ର ସୁପୁତ୍ରୀ ଯେ.
ମାଆ ଅଟେ ଶିଶୁର ଆଦ୍ୟ ଶିକ୍ଷକ
ପରିବାର ଅଟଇ ଟି ଶିକ୍ଷା କେନ୍ଦ୍ର ଯେ
ମାଟି ପିଣ୍ଡୁଳାକୁ ଯେପରି ଗଢ଼ିବ
ସେହି ପ୍ରକାରର ପଦାର୍ଥ ହୋଇବ ଯେ.
ହୀନ ମାନସିକତା ର ହୋଇ ଶିକାର
ଭୃଣ ହତ୍ୟା କରୁଛି ଅଧମ ନର ଯେ.
ପଶୁ ପକ୍ଷୀ ଓ କୀଟ ପତଙ୍ଗ ଜୀବ
ମନରେ ନାହିଁ ପୁଅ ଝିଅର ଭେଦ ଯେ.
ଆଇନଅଛି ଲିଙ୍ଗର ନିରୂପଣ
ଯିଏ କରିବ ଦଣ୍ଡ ପାଇବ ଜାଣ ଯେ
କିନ୍ତୁ କନ୍ୟାଭ୍ରୁଣକୁ ହତ୍ୟା କରନ୍ତି
ଧରାପଡନ୍ତି ନାହିଁ ସେହି ଦୁର୍ମତି ଯେ.
ସମସ୍ତଙ୍କୁ ମୁଁ କରୁଛି ନିବେଦନ
କନ୍ୟା ମାନଙ୍କୁ କେବେ ନ ମଣ ହୀନ ଯେ
ପୁଅ ଝିଅ ଦୁହିଁଙ୍କୁ ଦେଖ ସମାନ
ସଂସାରରେ ପାଇବ ତୁମେ ସମ୍ମାନ ଯେ ll
