କବିତା
କବିତା
କବିତା ତୁମେ ଗୋ ମାନସ କନ୍ୟା ମୋ
ଲାଗ ମୋତେ ଭାରି ଭଲ,
କି ଦିନ କି ରାତି ତୁମ କଥା ଭାବେ
କରିବାକୁ ଟିକେ ଗେଲ l
ସପନ ରେ ଆସି ନିଦ ଭାଙ୍ଗିଦିଅ
ଉଠି ମୁହିଁ ବସି ଲେଖେ,
ତୁମ ଭାବନାରେ ରାତି ବିତିଯାଏ
କଳ୍ପନା ଚକ୍ଷୁରେ ଦେଖେ l
ସଜାଏ ତୁମର ରୂପ ଓ ରଙ୍ଗ କୁ
ଜହ୍ନରୁ ଜୋଛନା ଆଣି,
କେବେତୋଳିଆଣେ ସାଗର ରୁ ନୀଳ
ସଜାଇବାକୁ ଗୋ ବେଣୀ l
ପୁଣି କେବେ ଆଣେ ମୁକ୍ତା ଖୋଜି ଖୋଜି
ଗଭାରେ ଖଞ୍ଜିବା ପାଇଁ,
ବାଳଅରୁଣ ଙ୍କ ରଙ୍ଗ ମାଗି ଆଣେ
ଓଠରେ ଭରିବା ପାଇଁ l
ମନ ବଗିଚାରୁ ଶବ୍ଦ ଫୁଲ ତୋଳେ
ସୁବାସିତ ଫୁଲ ବାଛି,
ରଙ୍ଗୀନ ଫୁଲକୁ ସଜାଇ ମଜାଇ
ଗୁନ୍ଥି ଦିଏ ତାକୁ ବସି l
ତାହାରି ଗଭାରେ ଖଞ୍ଜି ଦେବି ମୁଁଯେ
ରଜନୀଗନ୍ଧା ର ମାଳ,
ସୁନ୍ଦରୀ ଦିଶିବ ବାସ ଚହଟିବ
ମହକିବ କନ୍ୟା ମୋର l
କେତେ ସୁଖ ଦୁଃଖ ମନର ବେଦନା
କହିବ ସେ ମନ ଖୋଲି,
ଶୁଣାଇବ କେତେ ଅଭିଜ୍ଞତା ଆଉ
ଶିଶୁ ଗୀତ ଭଳି ଭଳିl
ଗୀତ ଚାତୁରୀରେ ବାଣ୍ଟିବକେତେଯେ
ଉପଦେଶ ଜଗତକୁ,
ସଂସ୍କାର ସଂସ୍କୃତି କଥା ଶିଖାଇବ
ଭବିଷ୍ୟତ ପିଢ଼ିଟିକୁ l
ଉପମାଦି ଯେତେ ଅଳଙ୍କାର ମାନ
ଖଞ୍ଜିବାକୁ ଭାବେ ମନେ,
ନାହିଁ ଏତେ ଜ୍ଞାନ ମୁଁ ଯେ ଅକିଞ୍ଚନ
ସରଳ କବି ମୁଁ ଜଣେ l
ସରଳ ସୁନ୍ଦରୀମାନସ କନ୍ୟା ମୋ
ଚାତୁରୀରେ ମନ ମୋହେ,
ପାଠକ ମାନଙ୍କ ମନ କିଣିବାକୁ
କଣେଇ କଣେଇ ଚାହେଁ l
ପ୍ରଭୁଙ୍କ ଜଣାଣ ଦେଶର ବନ୍ଦନ
କରିବ କବିତା ମୋର,
ମରିବା ଆଗରୁ ସୁଖ ମନାସିବି
ଜିଇଁ ରହୁ କନ୍ୟା ମୋର l
